Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ହେଉଛି ଧନର ଦେବତା କୁବେରଙ୍କ ଦିଗ ଏବଂ ତେଣୁ ଏହା ବିଶ୍ୱାସ କରାଯାଏ ଯେ ଉତ୍ତରମୁଖୀ ଘରେ ସମୃଦ୍ଧି ଏବଂ ପ୍ରାଚୁର୍ଯ୍ୟ ଆସିଥାଏ । ଉତ୍ତର ମେରୁରୁ ନିର୍ଗତ ଚୁମ୍ବକୀୟ ଶକ୍ତି ସକାରାତ୍ମକତା ଏବଂ ଶକ୍ତିକୁ ଘରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହିସବୁ କାରଣରୁ ଅନେକ ଲୋକ ନିଜ ଘର ପାଇଁ ଉତ୍ତରମୁଖୀ ଘର ପ୍ଲାନ୍ ଚୟନ କରିଥାନ୍ତି ।
ଘରର ଶକ୍ତିର ପ୍ରବେଶ ଦ୍ୱାର, ଉତ୍ତରମୁଖୀ ଘରର ପ୍ରବେଶ ଦ୍ୱାର ଆଦର୍ଶ ଭାବରେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ହେବା ଉଚିତ୍ । ଏହା ସବୁଠାରୁ ଶୁଭ ସ୍ଥାନ ବୋଲି ବିବେଚନା କରାଯାଏ ଯାହା ସକାରାତ୍ମକ ଶକ୍ତିକୁ ଘରେ ମୁକ୍ତ ଭାବରେ ପ୍ରବାହିତ କରିଥାଏ । ରଙ୍ଗ ଦୃଷ୍ଟିରୁ ସବୁଜ କିମ୍ବା ନୀଳ ଭଳି ଜୀବନ୍ତ ରଙ୍ଗ ବ୍ୟବହାର କଲେ ପ୍ରବେଶ ଦ୍ୱାରର ଶୁଭତା ବୃଦ୍ଧି ପାଇଥାଏ ।
ଉତ୍ତରପୂର୍ବ କୋଣ ଏକ ଉତ୍ତରମୁଖୀ ଘରର ଲିଭିଂ ରୁମ୍ ପାଇଁ ସର୍ବୋତ୍ତମ ସ୍ଥାନ ହୋଇଥାଏ, କାରଣ ଏହି ଦିଗଟି ମାନସିକ ସ୍ପଷ୍ଟତା ଏବଂ ସାମାଜିକ ସମାବେଶ ସହିତ ଜଡିତ । ଉତ୍ତରମୁଖୀ ଘର ବାସ୍ତୁରେ ସ୍ଥିରତାକୁ ବଢ଼ାଇବା ଏବଂ ବାସ ସ୍ଥାନର ଉପଯୋଗକୁ ପରିବର୍ଦ୍ଧିତ କରିବା ଲାଗି କୋଠରୀର ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଆସବାବପତ୍ର ରଖାଯାଇଥାଏ । ହାଲୁକା ପାଷ୍ଟେଲ୍ ଏବଂ ମାଟିଆ ରଙ୍ଗଗୁଡ଼ିକ ଏକ ସନ୍ତୁଳିତ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିପାରେ ।
ଦକ୍ଷିଣପୂର୍ବ କୋଣ ରୋଷେଇ ଘର ପାଇଁ ଆଦର୍ଶ ହୋଇଥାଏ, କାରଣ ଏହା ଅଗ୍ନି ତତ୍ତ୍ୱର କ୍ଷେତ୍ର ଅଟେ । ରୋଷେଇ କରିବା ସମୟରେ ସର୍ବାଧିକ ଫାଇଦା ପାଇଁ ବ୍ୟକ୍ତିଙ୍କୁ ପୂର୍ବ ଦିଗକୁ ମୁହଁ କରିବା ଉଚିତ୍ । ରେଫ୍ରିଜରେଟରକୁ ଦକ୍ଷିଣପଶ୍ଚିମ ଦିଗରେ ରଖାଯିବା ଉଚିତ୍ ଏବଂ ଜଳ ଏବଂ ଅଗ୍ନି ପରସ୍ପରର ବିରୋଧୀ ହୋଇଥିବାରୁ ସିଙ୍କ୍ ଏବଂ ଷ୍ଟୋଭ୍ କୁ ପରସ୍ପରୁ ଯଥେଷ୍ଟ ଦୂରରେ ଅଲଗା କରି ରଖାଯିବା ଉଚିତ୍ । ହଳଦିଆ, କମଳା କିମ୍ବା ନାଲି ଭଳି ଉଜ୍ଜ୍ୱଳ ରଙ୍ଗ ବ୍ୟବହାର କରନ୍ତୁ, ଯାହା ଅଗ୍ନି ତତ୍ତ୍ୱକୁ ପ୍ରତିଫଳିତ କରିଥାଏ ।
ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ଆପଣଙ୍କ ବେଡରୁମ୍ ଆଦର୍ଶ ଭାବରେ ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ହେବା ଉଚିତ୍ । ଶଯ୍ୟାକୁ ଏପରି ଭାବରେ ରଖିବା ଆବଶ୍ୟକ ଯେପରି ଶୋଇବା ସମୟରେ ବ୍ୟକ୍ତିଙ୍କ ମୁଣ୍ଡ ଦକ୍ଷିଣ ଦିଗକୁ ମୁହାଁଉଥିବ । ସାଧାରଣତଃ ଉତ୍ତର ମୁଖୀ ଘରର ବାସ୍ତୁ ପାଇଁ ଗୃହ ଯୋଜନାରେ ବେଡରୁମରେ ଥିବା ନିରପେକ୍ଷ ବା ମାଟିଆ ରଙ୍ଗକୁ ତାହାର ଶାନ୍ତ ଓ ସ୍ୱାସ୍ଥ୍ୟପ୍ରଦାୟକ ଗୁଣ ପାଇଁ ବ୍ୟବହାର କରାଯାଏ ।
ଘରର ପଶ୍ଚିମ କିମ୍ବା ଉତ୍ତରପଶ୍ଚିମ ଭାଗରେ ବାଥରୁମ୍ କିମ୍ବା ଶୌଚାଳୟ ରହିବା ଉଚିତ୍ ଏବଂ ଏହା ଯେପରି ସିଧାସଳଖ ଉତ୍ତରପୂର୍ବ କୋଣରେ ନ ରହେ ତାହା ନିଶ୍ଚିତ କରିବା ଆବଶ୍ୟକ କାରଣ ଏହା ସକାରାତ୍ମକ ଶକ୍ତିକୁ ଘରୁ ବିଦା କରିଦେଇପାରେ । ଡ୍ରେନେଜ୍ କିମ୍ବା ଜଳ ନିଷ୍କାସନକୁ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ, ଯାହା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ବାହାରକୁ ପ୍ରବାହିତ କରିବାରେ ସହାୟକ ମିଳିଥାଏ ।
ସମ୍ପତ୍ତିର ଉତ୍ତର-ପୂର୍ବ ପାର୍ଶ୍ୱଟି ବଗିଚା ପାଇଁ ଉପଯୁକ୍ତ ହୋଇଥାଏ, କାରଣ ଏହା ସକାଳର ସୂର୍ଯ୍ୟକିରଣକୁ ଘରେ ସତେଜତା ସହିତ ପରିଚାଳିତ କରିବାରେ ସାହାଯ୍ୟ କରିଥାଏ । ତୁଳସୀ କିମ୍ବା ବାଉଁଶ ଭଳି ବାସ୍ତୁ ଅନୁକୂଳ ଗଛ ବାଛନ୍ତୁ ଯାହା ସୌଭାଗ୍ୟ ଆଣୁଥିବାର ବିଶ୍ୱାସ କରାଯାଏ । ଉତ୍ତର ଏବଂ ପୂର୍ବ ଭାଗରେ ବଡ଼ ଆକାରର ବୃକ୍ଷ ନ ରହିବା ଉଚିତ୍, କାରଣ ସେଗୁଡ଼ିକ ସକାରାତ୍ମକ ଶକ୍ତିର ପ୍ରବାହକୁ ବାଧିତ କରିଥାନ୍ତି ।
ଦୋଷ: ଭୁଲ୍ ଅବସ୍ଥିତି କିମ୍ବା ମୁଖ୍ୟ ପ୍ରବେଶମାର୍ଗରେ ଅବରୋଧ ।
ସୁଧାର: ସମ୍ପୃକ୍ତ ସ୍ଥାନକୁ ଆବର୍ଜନା ଏବଂ ଏଣେତେଣେ ବିକ୍ଷିପ୍ତ ହୋଇ ପଡ଼ିରହିଥିବା ସାମଗ୍ରୀରୁ ମୁକ୍ତ କରନ୍ତୁ ଏବଂ ଆବଶ୍ୟକ ହେଲେ ତାହାର ସ୍ଥାନ ବଦଳାଇ ତାହାକୁ ଉତ୍ତର କିମ୍ବା ଉତ୍ତରପୂର୍ବରେ ରଖିବା ସୁନିଶ୍ଚିତ କରନ୍ତୁ ।
ଦୋଷ: ପ୍ରବେଶପଥଟି ଭୌତିକ କିମ୍ବା ଦୃଶ୍ୟମାନ ଭାବେ ଅବରୁଦ୍ଧ ହେବା ।
ସୁଧାର: ଘର ମଧ୍ୟକୁ ସକାରାତ୍ମକ ଶକ୍ତିର ପ୍ରବାହକୁ ବାଧିତ କରୁଥିବା ଯେକୌଣସି ବାଧାକୁ ହଟାନ୍ତୁ ।
ଦୋଷ: ହାଣ୍ଡିଶାଳ ଉତ୍ତରପୂର୍ବ ଭଳି ଅଣ-ଅନୁକୂଳ ବାସ୍ତୁ ଜୋନରେ ରହିବା ।
ସୁଧାର: ହାଣ୍ଡିଶାଳକୁ ଘରର ଦକ୍ଷିଣପୂର୍ବ ଭାଗରେ ରଖନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଯେ ରୋଷେଇ ସମୟରେ ଯେପରି ରୋଷେୟାଙ୍କ ମୁହଁ ପୂର୍ବ ଆଡ଼କୁ ରହୁଥିବ ।
ଦୋଷ: ଭୁଲ ଜାଗାରେ ଅବସ୍ଥିତ ବାଥରୁମ୍ ଏବଂ ଶୌଚାଳୟ ନକାରାତ୍ମକ ଶକ୍ତି ନିର୍ଗତ କରିପାରେ ।
ସୁଧାର: ସକାରାତ୍ମକତାର ପ୍ରବାହକୁ ବଜାୟ ରଖିବା ପାଇଁ ତାହାକୁ ବାସ୍ତୁ ଅନୁଯାୟୀ ପଶ୍ଚିମ କିମ୍ବା ଉତ୍ତରପଶ୍ଚିମ ଭାଗରେ ରଖନ୍ତୁ ।
ଦୋଷ: ବାସ୍ତୁ ସିଦ୍ଧାନ୍ତ ସହିତ ସୁସଙ୍ଗତ ହୋଇ ନ ଥିବା ରଙ୍ଗ ବ୍ୟବହାର କରିବା ।
ସୁଧାର: ସକାରାତ୍ମକ ଶକ୍ତିପ୍ରବାହକୁ ବଢ଼ାଇବା ପାଇଁ ବାସ୍ତୁ ସୁପାରିଶ କରାଯାଇଥିବା ରଙ୍ଗ ଯଥା ନୀଳ କିମ୍ବା ସବୁଜ ରଙ୍ଗରେ କାନ୍ଥ ରଙ୍ଗ କରନ୍ତୁ ।
ଏହି ସାଧାରଣ ଦୋଷଗୁଡ଼ିକୁ ଯତ୍ନର ସହିତ ସଂଶୋଧନ କରିବା ଦ୍ୱାରା ଉତ୍ତରମୁଖୀ ଘର ଯୋଜନା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ ପରିବେଶ ପାଇଁ ବାସ୍ତୁ ନୀତି ସହିତ ଭଲ ଭାବରେ ସୁସଙ୍ଗତ ହୋଇପାରିବ ।
ନିଜ ଘରକୁ ଉତ୍ତରମୁଖୀ ଘର ବାସ୍ତୁ ସିଦ୍ଧାନ୍ତ ସହିତ ସୁସଙ୍ଗତ କରିବାର ପ୍ରଶ୍ନ ଉଠିଲେ, ଆପଣଙ୍କ ପ୍ଲଟ୍ ର ଆକାର ସମ୍ପୃକ୍ତ ସ୍ଥାନର ଲେ’ଆଉଟ୍ ଏବଂ ବ୍ୟବସ୍ଥାକୁ ବହୁ ମାତ୍ରାରେ ପ୍ରଭାବିତ କରିପାରେ । ବାସ୍ତୁର ଅନୁପାଳନ ସହିତ ବିଭିନ୍ନ ପ୍ଲଟ୍ ଆକାର ପାଇଁ ଫଳପ୍ରଦ ଭାବେ ଯୋଜନା କେମତି କରିବେ ଜାଣନ୍ତୁ:
ପ୍ଲଟ୍ ଆକାର ଯାହା ହେଉ ନା କାହିଁକି, ଉତ୍ତରମୁଖୀ ବାସ୍ତୁ ପାଇଁ ଏକ ଘର ଯୋଜନାରେ ମୁଖ୍ୟତଃ ପ୍ରବେଶ ଦ୍ୱାରର ଅବସ୍ଥାନ ଉପରେ ଧ୍ୟାନ ଦିଆଯିବା ଉଚିତ୍ । ତାହା ଯେପରି ସକାରାତ୍ମକ ପାର୍ଶ୍ୱରେ ଅବସ୍ଥିତ ହୁଏ ତାହା ସୁନିଶ୍ଚିତ କରନ୍ତୁ, ଯାହା ଉତ୍ତରପୂର୍ବ ଜୋନ୍ ରେ ହେବା ବାଞ୍ଛନୀୟ ।
ଏକ ମାନକ 30x40 ଆକାରର ଉତ୍ତରମୁଖୀ ଘରର ଯୋଜନାରେ ସ୍ଥାନର ଦକ୍ଷ ଉପଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ଡିଜାଇନରେ ଉତ୍ତରପୂର୍ବରେ ଏକ ଭଲ ଆଲୋକିତ ଲିଭିଂ ଏରିଆ, ଦକ୍ଷିଣ ଏବଂ ପଶ୍ଚିମରେ ବେଡରୁମ୍ ଏବଂ ସ୍ଥାନର ଅପଚୟକୁ ଏଡ଼ାଇବା ପାଇଁ ନ୍ୟୂନତମ ହଲୱେ ଅନ୍ତର୍ଭୁକ୍ତ ହେବା ଉଚିତ୍ ।
ଏକ 40x50 ଉତ୍ତରମୁଖୀ ଘର ପ୍ଲାନରେ ସୂକ୍ଷ୍ମ ଡିଜାଇନ୍ ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାର ସୁଯୋଗ ଦେଇଥାଏ । ଘରକୁ ଫଳପ୍ରଦ ଢଙ୍ଗରେ ବିଭକ୍ତ କରିବା ପାଇଁ ବାସ୍ତୁକୁ ବ୍ୟବହାର କରାଯାଇପାରିବ । ବିସ୍ତୀର୍ଣ୍ଣ ବାଡ଼ି କିମ୍ବା ବଗିଚାକୁ ଉତ୍ତରପୂର୍ବରେ ସ୍ଥାନ ଦିଆଯିବା ସହିତ ଭାରି ଢାଞ୍ଚାଗୁଡ଼ିକୁ ଦକ୍ଷିଣପଶ୍ଚିମରେ ରଖାଯିବା ଉଚିତ୍ ।
ଛୋଟ 30x30 ଆକାରର ଉତ୍ତରମୁଖୀ ପ୍ଲଟ୍ ରେ ଘରର ଯୋଜନା ପାଇଁ, ସମ୍ପୃକ୍ତ ସ୍ଥାନର ସଦୁପଯୋଗକୁ ସୁନିଶ୍ଚିତ କରୁଥିବା ବାସ୍ତୁ ତତ୍ତ୍ୱଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥାଏ । ସକାରାତ୍ମକତା ବୃଦ୍ଧି କରିବା ପାଇଁ ଧ୍ୟାନ କିମ୍ବା ପୂଜା ଘରକୁ ଉତ୍ତରପୂର୍ବରେ ରଖନ୍ତୁ ଏବଂ ବହୁ-ଉଦ୍ଦେଶ୍ୟ ସାଧନ କରିବାରେ ସକ୍ଷମ ଆସବାବପତ୍ର ବ୍ୟବହାର କରିବା କଥା ବିଚାରକୁ ନିଅନ୍ତୁ ।
ଉତ୍ତରମୁଖୀ ବାସ୍ତୁ ପାଇଁ ଏହି ଗୃହ ଯୋଜନା ଏକ ସନ୍ତୁଳିତ ବାସ୍ତୁ ରୂପରେଖ ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥାଏ । ଆପଣ ଉତ୍ତରରେ ଆକର୍ଷଣୀୟ ପ୍ରବେଶପଥ ପାଇଁ ଯୋଜନା କରିପାରିବେ, ବାସ୍ତୁ ନିର୍ଦ୍ଦେଶାବଳୀ ଅନୁଯାୟୀ ରହିବା ଏବଂ ଶୋଇବା କ୍ୱାର୍ଟର ବଣ୍ଟନ କରିପାରିବେ ଏବଂ ଉତ୍ତମ ଶକ୍ତି ପ୍ରବାହ ପାଇଁ ରୋଷେଇ ଘରକୁ ଦକ୍ଷିଣପୂର୍ବରେ ରଖିପାରିବେ ।
ଶେଷରେ, ବାସ୍ତୁଶାସ୍ତ୍ର ଅନୁଯାୟୀ ଆପଣଙ୍କ ଉତ୍ତର ମୁଖୀ ଘରକୁ ଅନୁକୂଳିତ କରିବା ଏକ ପ୍ରାଣପ୍ରାଚୁର୍ଯ୍ୟପୂର୍ଣ୍ଣ ସ୍ଥାନ ସୃଷ୍ଟି କରିବା ଦିଗରେ ଏକ ପଦକ୍ଷେପ ହୋଇଥାଏ, ଯାହା ସକାରାତ୍ମକତା, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରେ । ଏହି ଉତ୍ତରମୁଖୀ ବାସ୍ତୁ ମାର୍ଗଦର୍ଶନକୁ ଆପଣାଇବା ଏବଂ ଦୋଷତ୍ରୁଟିଗୁଡ଼ିକୁ ଏଡ଼ାଇ ଆପଣ ନିଜ ଘରକୁ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ସ୍ଥାନରେ ପରିଣତ କରିପାରିବେ ଏବଂ ନିଜ ଘରର ପ୍ରତ୍ୟେକ ସ୍ଥାନକୁ ମଙ୍ଗଳମୟ କରିପାରିବେ ।