Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
• ପେଣ୍ଟ ଚକିଂ ଏକ ସାଧାରଣ ସମସ୍ୟା ଅଟେ । ରଙ୍ଗ ବା ପେଣ୍ଟ୍ ର ପରସ୍ତ କ୍ଷୟପ୍ରାପ୍ତ ହେବା କାରଣରୁ ସମୟକ୍ରମେ ପୃଷ୍ଠଭାଗରେ ପାଉଡର ଭଳି ଅବଶେଷ ଜମା ହେବାକୁ ଲାଗିଥାଏ । ତାହାକୁ ପେଣ୍ଟ୍ ଚକିଂ କୁହାଯାଏ ।
• ପାଣିପାଗ ଏବଂ ଅତିବାଇଗଣୀ ରଶ୍ମୀର ସଂସ୍ପର୍ଶ, ନିମ୍ନମାନର ପେଣ୍ଟ୍, ଅପର୍ଯ୍ୟାପ୍ତ ପୃଷ୍ଠଭାଗ ପ୍ରସ୍ତୁତି ଏବଂ ଭୁଲ୍ ପ୍ରୟୋଗ କାରଣରୁ ପେଣ୍ଟ୍ ଚକିଂର ସମସ୍ୟା ଦେଖାଦେଇପାରେ ।
• ପେଣ୍ଟ୍ ଚକିଂକୁ ବୁଝିବା, ଦୂର କରିବା ଏବଂ ପ୍ରତିରୋଧ କରିବା ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକ ହେଲା- ପୃଷ୍ଠଭାଗର ବ୍ୟାପକ ଯତ୍ନ, ଉପଯୁକ୍ତ ଉତ୍ପାଦ ଚୟନ ଏବଂ ରକ୍ଷଣାବେକ୍ଷଣ; ଏହା ମାଧ୍ୟମରେ ଆପଣ ରଙ୍ଗ କରାହୋଇଥିବା ପୃଷ୍ଠଭାଗର ରୂପକୁ ଦୀର୍ଘ ସମୟ ପାଇଁ ବଜାୟ ରଖିପାରିବେ ।
ବିଲଡିଂ ପୃଷ୍ଠଭାଗରେ ଚକ୍ ଖଡ଼ି ଭଳି ଗୁଣ୍ଡର ଜମାଟରୁ ଆପଣ ପେଣ୍ଟ୍ ଚକିଂକୁ ଚିହ୍ନଟ କରିପାରିବେ । ରଙ୍ଗ କରାଯାଇଥିବା ବସ୍ତୁ କିମ୍ବା ବିଲଡିଂରୁ ସମୟକ୍ରମେ ରଙ୍ଗର ପରସ୍ତ କ୍ଷୟପ୍ରାପ୍ତ ହୋଇଥାଏ ଏବଂ ଧିରେ ଧିରେ ବିଖଣ୍ଡିତ ହେବାକୁ ଲାଗିଥାଏ, ଯାହାଦ୍ୱାରା ପୃଷ୍ଠଭାଗରେ ଏକ ଧୂଳିଆ ବା ପାଉଡର ଭଳି ଅବଶେଷ ଜମାଟ ବାନ୍ଧିବାକୁ ଲାଗେ ।
ପାଣିପାଗର ପ୍ରଭାବ, ଅତି ବାଇଗଣୀ ରଶ୍ମୀର ସଂସ୍ପର୍ଶ କିମ୍ବା ଅନ୍ୟାନ୍ୟ ପରିବେଶୀୟ କାରକ ସମୟକ୍ରମେ ପେଣ୍ଟ୍ କୁ କ୍ଷତିଗ୍ରସ୍ତ କରିଥାଏ, ଏହି କାରଣରୁ ପେଣ୍ଟ୍ ଚକିଂ ଭଳି ଘଟଣା ଦେଖାଦିଏ । ଏହି ଚକ୍ ଗୁଣ୍ଡ ଭଳି ଅବଶେଷ ସହଜରେ ପୋଛି ହୋଇଯାଏ କିମ୍ବା ଧୋଇହୋଇଯାଏ । ଏହି କାରଣରୁ ଯେଉଁ ପୃଷ୍ଠତଳରେ ରଙ୍ଗ କରାଯାଇଥାଏ ତାହାର ଦୀର୍ଘସ୍ଥାୟିତା ପ୍ରତି ସମସ୍ୟା ସୃଷ୍ଟି ହୁଏ । ଆପଣ ଯଦି ଏ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ପେଣ୍ଟ୍ ଚକିଂ ଓ ତାହାକୁ ମରାମତି କରିବାର ଉପାୟ ସମ୍ପର୍କରେ ପଢ଼ିବା ପାଇଁ ତଳକୁ ସ୍କ୍ରଲ୍ କରନ୍ତୁ ।
ଘରମାଲିକ ଏବଂ ପେସାଦାର ପେଣ୍ଟର୍ ଉଭୟଙ୍କ ପାଇଁ ପେଣ୍ଟ୍ ଚକିଂ ଏକ ନିରାଶାଜନକ ଏବଂ ଅସୁନ୍ଦର ସମସ୍ୟା ଅଟେ । ଆସନ୍ତୁ, ପେଣ୍ଟ୍ ଚକିଂର କାରଣଗୁଡ଼ିକୁ ଆହୁରି ଭଲଭାବେ ବୁଝିବା ।
ସମୟକ୍ରମେ ରଙ୍ଗ ଖରା, ଉତ୍ତାପ ଏବଂ ଆର୍ଦ୍ରତା ସଂସ୍ପର୍ଶରେ ଆସିବା କାରଣରୁ ପେଣ୍ଟ୍ ଚକିଂ ସମସ୍ୟା ଦେଖାଦେଇପାରେ । ଏହି କାରଣରୁ ପେଣ୍ଟ୍ ର ପୃଷ୍ଠ ଖଣ୍ଡ ବିଖଣ୍ଡିତ ହୁଏ ଏବଂ ପୃଷ୍ଠଭାଗରେ ଧୂଳିଆ ବା ଚକ୍ ଗୁଣ୍ଡ ଭଳି ଅବଶେଷ ଜମିବାକୁ ଲାଗେ ।
ପାଣିପାଗ ଏବଂ ଅତି ବାଇଗଣୀ ରଶ୍ମୀର ପ୍ରଭାବକୁ ସହନ କରିବା ପାଇଁ ଉପଯୁକ୍ତ ସହାୟକ ଉପାଦାନ ନ ଥିବା ନିମ୍ନ-ମାନର ପେଣ୍ଟ୍ ବ୍ୟବହାର କଲେ ମଧ୍ୟ ପେଣ୍ଟ୍ ଚକିଂ ସମସ୍ୟା ଦେଖାଦେଇପାରେ ।
ରଙ୍ଗ କରିବା ପୂର୍ବରୁ ପୃଷ୍ଠଭାଗକୁ ଉପଯୁକ୍ତ ଭାବେ ସଫା, ପ୍ରାଇମ୍ କିମ୍ବା ପ୍ରସ୍ତୁତ କରା ନ ଗଲେ ମଧ୍ୟ ପେଣ୍ଟ୍ ଚକିଂ ସମସ୍ୟା ସୃଷ୍ଟି ହୋଇଥାଏ । ପୃଷ୍ଠଭାଗରେ ରହିଥିବା ଧୂଳିମଳି କିମ୍ବା ଅନ୍ୟାନ୍ୟ ପ୍ରଦୂଷକ ଉପାଦାନ ରଙ୍ଗକୁ ପୃଷ୍ଠଭାଗରେ ଠିକ୍ ଭାବେ ଲାଗିବାକୁ ଦେଇ ନ ଥାଏ ।
ରଙ୍ଗକୁ ଠିକ୍ ଭାବେ ନ ଲଗାଇବା, ଯଥା- ଦୁଇଟି କୋଟ୍ ମଝିରେ ଶୁଖିବା ପାଇଁ ପର୍ଯ୍ୟାପ୍ତ ସମୟ ନ ଦେବା କିମ୍ବା ରଙ୍ଗ ନିର୍ମାତାଙ୍କ ନିର୍ଦ୍ଦେଶ ପାଳନ ନ କରିବା କାରଣରୁ ମଧ୍ୟ ପେଣ୍ଟ୍ ଚକିଂ ଦେଖାଦେଇପାରେ ।
ପେଣ୍ଟ୍ ଚକିଂକୁ ସଜାଡ଼ିବା ପାଇଁ, ଆପଣ ଧୂଳିଆ ଅବଶେଷକୁ ହଟାଇବା ଏବଂ ପୃଷ୍ଠଭାଗକୁ ସଫା ଓ ଚିକ୍କଣ ଅବସ୍ଥାକୁ ଫେରାଇଆଣିବା ଆବଶ୍ୟକ । ଏଥିପାଇଁ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ:
ପୃଷ୍ଠଭାଗରୁ ଛାଡ଼ିଆସିଥିବା ଏବଂ ଧୂଳିଆ ବା ଗୁଣ୍ଡ ସାମଗ୍ରୀଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ପ୍ରେସର୍ ୱାଶର୍, ସ୍କ୍ରବ୍ ବ୍ରଶ୍ କିମ୍ବା ଅନ୍ୟାନ୍ୟ ସଫେଇ ପଦ୍ଧତି ବ୍ୟବହାର କରନ୍ତୁ । କଷ୍ଟସାଧ୍ୟ ସ୍ଥାନଗୁଡ଼ିକ ପାଇଁ, ଚକ୍ ଅବଶିଷ୍ଟକୁ ହଟାଇବା ଲାଗି ଆପଣଙ୍କୁ ପେଣ୍ଟ୍ ସ୍କ୍ରେପର୍ କିମ୍ବା ବାଲିକାଗଜ ବ୍ୟବହାର କରିବାକୁ ପଡ଼ିପାରେ ।
ସଫା କରିବା ପରେ, ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ପୃଷ୍ଠଭାଗକୁ ସମ୍ପୂର୍ଣ୍ଣ ରୂପେ ଶୁଖିବାକୁ ଦିଅନ୍ତୁ । ତାପମାତ୍ରା ଏବଂ ଆର୍ଦ୍ରତା ଉପରେ ନିର୍ଭର କରି ଏଥିପାଇଁ ଅନେକ ଘଣ୍ଟା ଲାଗିପାରେ ।
ଗୁଣ୍ଡ ଛାଡ଼ୁଥିବା ପୃଷ୍ଠଭାଗ ପାଇଁ ବିଶେଷ ଭାବେ ନିର୍ମିତ ଉଚ୍ଚ-କ୍ୱାଲିଟିର ପ୍ରାଇମର୍ ଲଗାନ୍ତୁ । ଏହା ପୃଷ୍ଠଭାଗକୁ ସିଲ୍ କରିବା ଏବଂ ନୂଆ ପେଣ୍ଟ୍ ପାଇଁ ଏକ ସ୍ଥିର ଭିତ୍ତି ଯୋଗାଇବାରେ ସାହାଯ୍ୟ କରିବ ।
ପ୍ରାଇମର୍ ଶୁଖିଯିବା ପରେ, ସମ୍ପୃକ୍ତ ପୃଷ୍ଠଭାଗ ଏବଂ ପରିବେଶ ପାଇଁ ଉପଯୁକ୍ତ ଉଚ୍ଚ-କ୍ୱାଲିଟି ପେଣ୍ଟ୍ ର ଏକ ଟପ୍ କୋଟ୍ ଲଗାନ୍ତୁ । ପ୍ରୟୋଗ ଏବଂ ଶୁଖିବା ପାଇଁ ଆବଶ୍ୟକ ସମୟ ବାବଦରେ ନିର୍ମାତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରିବାକୁ ଭୁଲନ୍ତୁ ନାହିଁ ।
ଭବିଷ୍ୟତରେ ଚକିଂକୁ ପ୍ରତିରୋଧ କରିବା ପାଇଁ ପେଣ୍ଟ୍ କରାଯାଇଥିବା ପୃଷ୍ଠଭାଗର ରକ୍ଷଣାବେକ୍ଷଣ କରିବା ବା ଯତ୍ନ ନେବା ସୁନିଶ୍ଚିତ କରନ୍ତୁ । ଏହାର ଅର୍ଥ, ତାହାକୁ ନିୟମିତ ଭାବେ ସଫା କରନ୍ତୁ, ନିୟମିତ ବ୍ୟବଧାନରେ ଯାଞ୍ଚ କରନ୍ତୁ ଏବଂ ଆବଶ୍ୟକ ହୋଇଥିଲେ ଟଚ୍-ଅପ୍ ପେଣ୍ଟିଂ କରନ୍ତୁ । ଉଲ୍ଲେଖଯୋଗ୍ୟ ଯେ, କେତେକ ମାମଲାରେ ଚକିଂର ସ୍ଥିତି ଏତେ ଗୁରୁତର ହୋଇଥାଏ ଯେ, ଉପରୋକ୍ତ ପଦକ୍ଷେପ ମାଧ୍ୟମରେ ତାହାର ମରାମତି କରିବା ସମ୍ଭବ ହୁଏ ନାହିଁ; ସେ କ୍ଷେତ୍ରରେ ସମଗ୍ର ପୃଷ୍ଠଭାଗକୁ ପୁଣିଥରେ ପେଣ୍ଟିଂ କରିବା ଆବଶ୍ୟକ ହୋଇଥାଏ । ଏଭଳି ମାମଲାରେ, ଏକ ଉଚ୍ଚ କ୍ୱାଲିଟିର ତଥା ଦୀର୍ଘସ୍ଥାୟୀ ଫିନିଶ୍ ସୁନିଶ୍ଚିତ କରିବା ପାଇଁ ଜଣେ ପେସାଦାର ପେଣ୍ଟିଂ କଣ୍ଟ୍ରାକ୍ଟରଙ୍କୁ ନିୟୋଜିତ କରିବା ପରାମର୍ଶଯୋଗ୍ୟ ଅଟେ ।
ରଙ୍ଗକରା ପୃଷ୍ଠଭାଗରେ ଚକିଂ ପେଣ୍ଟ୍ ତ୍ରୁଟିକୁ ଏଡ଼ାଇବା ପାଇଁ ଆପଣ ନିମ୍ନଲିଖିତ ପଦକ୍ଷେପ ନେଇପାରିବେ:
ରଙ୍ଗକୁ ଯେଉଁ ସ୍ଥାନରେ ବ୍ୟବହାର କରାଯିବ ସେହି ପୃଷ୍ଠଭାଗ ଏବଂ ସେଠାକାର ପରିବେଶ ପାଇଁ ବିଶେଷ ଭାବେ ନିର୍ମିତ ଉଚ୍ଚ-କ୍ୱାଲିଟିର ପେଣ୍ଟ୍ ବ୍ୟବହାର କରନ୍ତୁ । ଶସ୍ତା, ନିମ୍ନ-ମାନର ପେଣ୍ଟ୍ ଗୁଡ଼ିକରେ ଚକିଂ ଏବଂ ଅନ୍ୟାନ୍ୟ ପେଣ୍ଟ୍ ସମ୍ବନ୍ଧୀୟ ସମସ୍ୟାର ସମ୍ଭାବନା ବହୁତ ଅଧିକ ହୋଇଥାଏ ।
ରଙ୍ଗ କରିବା ପୂର୍ବରୁ ପୃଷ୍ଠଭାଗଟି ଯେପରି ସଫା, ଶୁଷ୍କ ଏବଂ ଧୂଳିମଳି ତଥା ଅନ୍ୟାନ୍ୟ ପ୍ରଦୂଷକରୁ ମୁକ୍ତ ହୁଏ ତାହା ସୁନିଶ୍ଚିତ କରିନିଅନ୍ତୁ । ଆବଶ୍ୟକ ହୋଇଥିଲେ ଏକ ଡିଗ୍ରୀଜର୍ କିମ୍ବା କ୍ଲିନିଂ ସଲ୍ୟୁସନ୍ ବ୍ୟବହାର କରନ୍ତୁ ଏବଂ ରଙ୍ଗ କରିବା ପୂର୍ବରୁ ପୃଷ୍ଠଭାଗକୁ ସମ୍ପୂର୍ଣ୍ଣ ଶୁଖିବାକୁ ଦିଅନ୍ତୁ ।
ସମ୍ପୃକ୍ତ ପୃଷ୍ଠଭାଗ ଏବଂ ପରିବେଶ ପାଇଁ ବିଶେଷ ଭାବେ ଡିଜାଇନ୍ କରାଯାଇଥିବା ଏକ ଉଚ୍ଚ-କ୍ୱାଲିଟିର ପ୍ରାଇମର୍ ବ୍ୟବହାର କରନ୍ତୁ । ପ୍ରାଇମର୍ ଉପଯୁକ୍ତ ସଂଲଗ୍ନତାକୁ ସୁନିଶ୍ଚିତ କରିବା ଏବଂ ଚକିଂ ତଥା ଅନ୍ୟାନ୍ୟ ପେଣ୍ଟ୍ ଜନିତ ସମସ୍ୟାକୁ ଏଡ଼ାଇବାରେ ସାହାଯ୍ୟ କରିଥାଏ ।
ପ୍ରୟୋଗ ଏବଂ ଶୁଖିବା ପାଇଁ ଆବଶ୍ୟକ ସମୟ ବାବଦରେ ନିର୍ମାତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ । ଅତ୍ୟଧିକ ଉତ୍ତପ୍ତ ତାପମାତ୍ରା କିମ୍ବା ଆର୍ଦ୍ର ପରିସ୍ଥିତିରେ ରଙ୍ଗକାର୍ଯ୍ୟକୁ ଏଡ଼ାନ୍ତୁ । ଏହାଦ୍ୱାରା ରଙ୍ଗ ପରସ୍ତର ଗୁଣବତ୍ତା ଏବଂ ସ୍ଥାୟିତ୍ୱ ପ୍ରତିକୂଳ ଭାବେ ପ୍ରଭାବିତ ହୋଇଥାଏ ।
ଚକିଂ, ମଳିନତା କିମ୍ବା ଅନ୍ୟାନ୍ୟ ତୃଟିର ସଙ୍କେତକୁ ଚିହ୍ନଟ କରିବା ପାଇଁ ରଙ୍ଗ ହୋଇଥିବା ପୃଷ୍ଠକୁ ନିୟମିତ ଭାବେ ଯାଞ୍ଚ କରନ୍ତୁ । ପୃଷ୍ଠଭାଗକୁ ନିୟମିତ ସମୟ ବ୍ୟବଧାନରେ ସଫା କରନ୍ତୁ ଏବଂ କ୍ଷୟପ୍ରାପ୍ତ ହୋଇଥିବାର ସଙ୍କେତ ଦେଉଥିବା ଜାଗାଗୁଡ଼ିକରେ ଟଚ୍ ଅପ୍ ପେଣ୍ଟିଂ କରନ୍ତୁ ।
ବିଶେଷକରି, ଯଦି ପୃଷ୍ଠଭାଗ ଅତ୍ୟନ୍ତ ରୁକ୍ଷ ପରିବେଶ ସଂସ୍ପର୍ଶରେ ଆସୁଥାଏ ।
ସଂକ୍ଷେପରେ କହିବାକୁ ଗଲେ, ରଙ୍ଗ କରାହୋଇଥିବା ବା ପେଣ୍ଟେଡ୍ ପୃଷ୍ଠଭାଗରେ ପେଣ୍ଟ୍ ଚକିଂ ଏକ ସାଧାରଣ ସମସ୍ୟା ହୋଇଥାଏ । କିନ୍ତୁ ସେହି ସମସ୍ୟା ସହିତ ଆପଣ ଜିଇଁବେ ବୋଲି ମାନେ ନାହିଁ । ପେଣ୍ଟ୍ ଚକିଂର କାରଣଗୁଡ଼ିକୁ ବୁଝିବା ଦ୍ୱାରା, ଆପଣ ତାହାକୁ ଘଟିବାରୁ ରୋକିପାରିବେ ଏବଂ ଯଦି ତାହା ଘଟିସାରିଥାଏ ତେବେ କ୍ଷତିକୁ ସୁଧାରିବା ପାଇଁ ଯଥୋଚିତ ପଦକ୍ଷେପ ନେଇପାରିବେ । ଆପଣ ଜଣେ ଘରମାଲିକ ହୋଇଥାନ୍ତୁ କି ଜଣେ ପେସାଦାର ପେଣ୍ଟର୍, ଉପଯୁକ୍ତ ପୃଷ୍ଠଭାଗ ପ୍ରସ୍ତୁତି କୌଶଳ ଅନୁସରଣ କରିବା, ଉଚ୍ଚ-ଗୁଣମାନର ରଙ୍ଗ ବ୍ୟବହାର କରିବା ଏବଂ ରଙ୍ଗ କରାହୋଇଥିବା ପୃଷ୍ଠଭାଗକୁ ରୁକ୍ଷ ପରିବେଶୀୟ ପ୍ରଭାବରୁ ସୁରକ୍ଷିତ ରଖିବା ଦ୍ୱାରା ଆପଣ ପେଣ୍ଟ୍ ଚକିଂକୁ ପ୍ରତିରୋଧ କରିପାରିବେ । ଏବଂ ଯଦି ଚକିଂ ପେଣ୍ଟ୍ ଆପଣଙ୍କ ନଜରକୁ ଆସେ, ତେବେ ତତ୍ପରତାର ସହିତ ପଦକ୍ଷେପ ନେଇ ତାହାକୁ ସୁଧାରିଲେ ଆପଣଙ୍କ ରଙ୍ଗ କାର୍ଯ୍ୟର ସୌନ୍ଦର୍ଯ୍ୟ ଓ ସ୍ଥାୟିତ୍ୱ ସୁରକ୍ଷିତ ରହିପାରିବ ।