Share:
Home Building Guide
Our Products
Useful Tools
Waterproofing methods, Modern kitchen designs, Vaastu tips for home, Home Construction cost
Share:
ଷ୍ଟିଲ୍ ନିର୍ମାଣ ଉଦ୍ୟୋଗର ମେରୁଦଣ୍ଡ ହୋଇଥାଏ । ନିର୍ମାଣ ପ୍ରକଳ୍ପ ଆରମ୍ଭ କରିବା ସମୟରେ ସଠିକ୍ ଷ୍ଟିଲ୍ ବାର୍ ର ଚୟନ କେବଳ ଯେ ମହତ୍ତ୍ୱପୂର୍ଣ୍ଣ ତାହା ନୁହେଁ ବରଂ ତାହା ସବୁଠାରୁ ଜରୁରୀ ବିଷୟ ହୋଇଥାଏ । ଆପଣ ନିର୍ମାଣ କରୁଥିବା ସଂରଚନା ବା ଢାଞ୍ଚାର ଅଖଣ୍ଡତା, ସୁରକ୍ଷା ଏବଂ ସ୍ଥାୟିତ୍ୱ ଏହି ପସନ୍ଦ ଉପରେ ନିର୍ଭରଶୀଳ ହୋଇଥାଏ ।
ଭୁଲ୍ ନିଷ୍ପତ୍ତି ନିଆଗଲେ କିମ୍ବା ଭୁଲ୍ ଚୟନ କରାଗଲେ ଢାଞ୍ଚାଗତ ସମସ୍ୟା, ମାତ୍ରାଧିକ ଖର୍ଚ୍ଚ ଏବଂ ଏପରିକି ସୁରକ୍ଷା ବାବଦୀୟ ସଂକଟ ସୃଷ୍ଟି ହୋଇପାରେ । ବଜାରରେ ବହୁ ପ୍ରକାରର ଷ୍ଟିଲ୍ ଉପଲବ୍ଧ ହୋଇଥାଏ ଏବଂ ବିଚାରକୁ ନେବା ପାଇଁ ବହୁତ କିଛି କାରକ ରହିଥାଏ, କିନ୍ତୁ ଉକ୍ତ ପ୍ରକ୍ରିୟା ସମ୍ପର୍କରେ ଏକ ସ୍ପଷ୍ଟ ଧାରଣା ରହିବା ଅତ୍ୟାବଶ୍ୟକ ଅଟେ ।
ନିର୍ମାଣ ପ୍ରକଳ୍ପଗୁଡ଼ିକରେ ସାଧାରଣତଃ ବିଭିନ୍ନ ପ୍ରକାର ଷ୍ଟିଲ୍ ବାର୍ ବ୍ୟବହୃତ ହୋଇଥାଏ, ପ୍ରତ୍ୟେକର ନିଜସ୍ୱ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଏବଂ ଲାଭ ରହିଥାଏ । ସବୁଠାରୁ ସାଧାରଣ ପ୍ରକାରଭେଦଗୁଡ଼ିକ ହେଲା:
ମୃଦୁ ବା ମାଇଲ୍ଡ ଷ୍ଟିଲ୍ ବାର୍, ‘‘ସାଦା ବା ପ୍ଲେନ୍ ବାର୍’’ ରୂପେ ମଧ୍ୟ ପରିଚିତ । ନିର୍ମାଣରେ ପ୍ରୟୋଗ ପାଇଁ ଏହା ଏକ ଲୋକପ୍ରିୟ ପସନ୍ଦ ଅଟେ । ସେଥିରେ କମ୍ ପରିମାଣର କାର୍ବନ୍ ଉପାଦାନ ରହିଥାଏ ଏବଂ ସେଗୁଡ଼ିକୁ ୱେଲଡିଂ କରିବା ଓ ବିଭିନ୍ନ ଆକୃତି ଦେବା ସହଜ ହୋଇଥାଏ । ମାଇଲ୍ଡ ଷ୍ଟିଲ୍ ବାର୍ ଭଲ ସୁଦୃଢ଼ତା ଏବଂ ତନ୍ୟତା ଯୋଗାଇଥାଏ । ତେଣୁ ସାଧାରଣ ନିର୍ମାଣ ଉଦ୍ଦେଶ୍ୟ ପାଇଁ ସେଗୁଡ଼ିକ ଉପଯୁକ୍ତ ଅଟେ ।
ଡିଫର୍ମଡ୍ ଷ୍ଟିଲ୍ ବାର୍ ଗୁଡ଼ିକୁ ‘‘ରିଇନଫୋର୍ସିଂ ବାର୍’’ ବା ‘‘ରିବାର୍’’ ମଧ୍ୟ କୁହାଯାଏ । ଏହି ବାର୍ ବା ଛଡ଼ଗୁଡ଼ିକର ପୃଷ୍ଠଭାଗ ଚିକ୍କଣ ନ ହୋଇ ବିକୃତ ହୋଇଥାଏ ଯାହା କଂକ୍ରିଟ୍ ସହିତ ଉତ୍ତମ ସଂଲଗ୍ନତା ବା ଆଢେସନ୍ ଯୋଗାଇଥାଏ । ଷ୍ଟିଲ୍ ଓ କଂକ୍ରିଟ୍ ମଧ୍ୟରେ ବଣ୍ଡ୍ ଶକ୍ତିକୁ ବୃଦ୍ଧି କରିବା ପାଇଁ ଏହି ବାର୍ ଗୁଡ଼ିକୁ ସାଧାରଣତଃ ରିଇନଫୋର୍ସଡ୍ ଢାଞ୍ଚାଗୁଡ଼ିକରେ ବ୍ୟବହାର କରାଯାଇଥାଏ । ଡିଫର୍ମଡ୍ ଷ୍ଟିଲ୍ ବାର୍ ଅତ୍ୟୁଚ୍ଚ ତନନ ସାମର୍ଥ୍ୟ ଓ ରିଇନଫୋର୍ସମେଣ୍ଟ ବୈଶିଷ୍ଟ୍ୟ ଯୋଗାଇଥାଏ ।
ନିର୍ମାଣ ପାଇଁ ଷ୍ଟିଲ୍ କେମିତି ଚୟନ କରାଯିବ ତାହା ବୁଝିବା ସମୟରେ, ଅନେକ କାରକଗୁଡ଼ିକୁ ଧ୍ୟାନରେ ରଖିବାକୁ ହୋଇଥାଏ । ଆପଣଙ୍କ ନିର୍ମାଣ ପ୍ରକଳ୍ପର ସଫଳତାକୁ ସୁନିଶ୍ଚିତ କରିବା ପାଇଁ, ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ କାରକଗୁଡ଼ିକୁ ତୁଳନା କରି ଦେଖିବା ଉଚିତ୍ । ସେଗୁଡ଼ିକ ମଧ୍ୟରୁ କେତେକ କାରକ ତଳେ ଦର୍ଶାଗଲା:
ଷ୍ଟିଲ୍ ରଡ୍ ର ବ୍ୟାସ ଏବଂ ଷ୍ଟିଲ୍ ଗ୍ରେଡ୍ ସେଗୁଡ଼ିକର ଭାର-ବହନର ସାମର୍ଥ୍ୟକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଆପଣଙ୍କ ପ୍ରକଳ୍ପର ବିନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ଆପଣଙ୍କର ପସନ୍ଦ ନିର୍ଭର କରିବା ଉଚିତ୍ । ଷ୍ଟ୍ରକ୍ଚରାଲ୍ ଡିଜାଇନରେ ବିନିର୍ଦ୍ଦିଷ୍ଟ ହୋଇଥିବା ଆବଶ୍ୟକୀୟ ବ୍ୟାସ ଏବଂ ଷ୍ଟିଲ୍ ଗ୍ରେଡ୍ କୁ ଯାଞ୍ଚ କରିନିଅନ୍ତୁ । ଯଦି ଆପଣ ହେଭି-ଲୋଡ୍ ଷ୍ଟ୍ରକ୍ଚରର କାମ କରୁଛନ୍ତି ତେବେ ତାହାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣ ଅଧିକ ମୋଟ, ଅଧିକ ଉଚ୍ଚତର-ଗ୍ରେଡ୍ ର ଷ୍ଟିଲ୍ ବାର୍ ଆବଶ୍ୟକ କରିବେ ।
ଭିନ୍ନ ଭିନ୍ନ ନିର୍ମାଣ ପ୍ରକଳ୍ପ ଭିନ୍ନ ଭିନ୍ନ ଓଜନର ଷ୍ଟିଲ୍ ରଡ୍ ଆବଶ୍ୟକ କରିଥାଏ । ଷ୍ଟିଲ୍ ରଡ୍ ର ଓଜନକୁ ବିଚାରକୁ ନିଅନ୍ତୁ, କାରଣ ତାହା ପରିଚାଳନା, ପରିବହନ ଏବଂ ସ୍ଥାପନାକୁ ପ୍ରଭାବିତ କରିଥାଏ । ଚୟନ କରାଯାଇଥିବା ଷ୍ଟିଲ୍ ବାର୍ ର ଓଜନ ଯେପରି ପ୍ରକଳ୍ପର ଆବଶ୍ୟକତା ସହିତ ମେଳ ଖାଉଛି ତାହା ସୁନିଶ୍ଚିତ କରିନିଅନ୍ତୁ । ନିଜ ନିର୍ମାଣ କାର୍ଯ୍ୟରେ ପ୍ରୟୋଗ ପାଇଁ ଯଦି ଆପଣ ବହୁତ ହାଲୁକା ରଡ୍ ବ୍ୟବହାର କରନ୍ତି ତେବେ ଷ୍ଟ୍ରକ୍ଚରାଲ୍ ବିଫଳତାର ଆପଦକୁ ବରଣ କରିଥାନ୍ତି ।
ଷ୍ଟିଲ୍ ରଡ୍ ଗୁଡ଼ିକୁ ଯତ୍ନର ସହିତ ଯାଞ୍ଚ କରି ଦେଖିନିଅନ୍ତୁ ଯେ, ସେଗୁଡ଼ିକରେ ଯେପରି କୌଣସି ଫାଟ କିମ୍ବା ତ୍ରୁଟି ଦୃଶ୍ୟମାନ ନାହିଁ । ଛୋଟରୁ ଛୋଟ ଫାଟ ମଧ୍ୟ ସମୟକ୍ରମେ ଢାଞ୍ଚାଗତ ଅଖଣ୍ଡତାକୁ ଦୁର୍ବଳ କରିଦେଇପାରେ । ଫାଟ ରହିଥିବା ରଡ୍ ଗୁଡ଼ିକୁ ବ୍ୟବହାର କରନ୍ତୁ ନାହିଁ, କାରଣ ତାହା ବଡ଼ ଧରଣର ସୁରକ୍ଷା ବିପଦ ସୃଷ୍ଟି କରିଥାଏ । ମସୃଣ ପୃଷ୍ଠଭାଗ ବିଶିଷ୍ଟ ଏବଂ କୌଣସି ଫାଟ ବା ତ୍ରୁଟିରୁ ମୁକ୍ତ ରଡ୍ ଚୟନ କରନ୍ତୁ ।
କଳଙ୍କି ଷ୍ଟିଲ୍ ର ଅଖଣ୍ଡତା ସହ ସାଲିସ୍ କରିପାରେ । ରଡ୍ ଗୁଡ଼ିକର ସ୍ଥିତିକୁ ଯାଞ୍ଚ କରନ୍ତୁ ଏବଂ ଅବକ୍ଷୟକୁ ପ୍ରତିରୋଧ କରିବା ପାଇଁ ସେଥିରେ ଇପକ୍ସି କିମ୍ବା ଜିଙ୍କ ଭଳି କୋଟିଂ ବା ଆଚ୍ଛାଦନ ଅଛି କି ନାହିଁ ତାହା ଦେଖିନିଅନ୍ତୁ । ଷ୍ଟିଲ୍ ରଡ୍ ଗୁଡ଼ିକ ଯେପରି କଳଙ୍କି କିମ୍ବା ମାତ୍ରାଧିକ ଅବକ୍ଷୟରୁ ମୁକ୍ତ ଅଛି ତାହା ସୁନିଶ୍ଚିତ କରନ୍ତୁ । କଳଙ୍କିକୁ ପ୍ରାୟତଃ ଦୂର କରାଯାଇପାରିବ, କିନ୍ତୁ ଗଭୀର ଅବକ୍ଷୟ (ବହୁ ମାତ୍ରାରେ କ୍ଷତିଗ୍ରସ୍ତ)ପ୍ରାପ୍ତ ରଡ୍ ଗୁଡ଼ିକୁ ବ୍ୟବହାର ନ କରିବା ସର୍ବୋତ୍ତମ ।
ଆପଣ କେଉଁ ବ୍ରାଣ୍ଡର ଷ୍ଟିଲ୍ ଚୟନ କରୁଛନ୍ତି ତାହା ମାଇନେ ରଖିଥାଏ । ସାଧାରଣତଃ, ଖ୍ୟାତନାମା ବ୍ରାଣ୍ଡଗୁଡ଼ିକ ଉଚ୍ଚ-କ୍ୱାଲିଟିର ଷ୍ଟିଲ୍ ରଡ୍ ଯୋଗାଇଥାନ୍ତି, ଯାହାଫଳରେ ସାମଗ୍ରୀଗୁଡ଼ିକର ବିଶ୍ୱସନୀୟତା ଏବଂ ଶକ୍ତିକୁ ନେଇ ମନକୁ ଶାନ୍ତି ମିଳିପାରିଥାଏ । ଭରସାଯୋଗ୍ୟ ବ୍ରାଣ୍ଡର ଷ୍ଟିଲ୍ ଚୟନ କଲେ, ଉଦ୍ୟୋଗର ମାନକକୁ ପୂରଣ କରୁଥିବା ଅସଲି ଏବଂ ପ୍ରମାଣିତ ଷ୍ଟିଲ୍ ର ବ୍ୟବହାର ସୁନିଶ୍ଚିତ ହୋଇପାରିଥାଏ ।
ଷ୍ଟିଲ୍ ବାର୍ ଧାରର ପ୍ରକାରକୁ ବିଚାରକୁ ନିଅନ୍ତୁ । ଗୋଲାକାର ଧାରଗୁଡ଼ିକୁ ଅଧିକ ପସନ୍ଦ କରାଯାଏ କାରଣ ତାହା ସହିତ କାରବାର କରିବା ଓ ସ୍ଥାପନ କରାଯିବା ସମୟରେ ଆଘାତର ଆଶଙ୍କା ନ୍ୟୂନତମ ହୋଇଥାଏ । ଭଲ ଭାବେ ଫିନିଶ୍ ହୋଇଥିବା ଧାର ରହିଥିବା ଷ୍ଟିଲ୍ ରଡ୍ କୁ ନେଇ କାମ କରିବା ଏବଂ ନିର୍ମାଣ ସମୟରେ ଯୋଡ଼ାଯୋଡ଼ି କରିବା ସହଜ ହୋଇଥାଏ । ଆପଣଙ୍କ କାର୍ଯ୍ୟର ଗୁଣବତ୍ତାରେ ଏହାର ଅବଦାନ ରହିବା ସହିତ ଏପରି ଷ୍ଟିଲ୍ ରଡ୍ ନିର୍ମାଣ ପ୍ରକ୍ରିୟାକୁ ମଧ୍ୟ ଉନ୍ନତ କରିଥାଏ ।
ସଂକ୍ଷେପରେ କହିବାକୁ ଗଲେ, ନିର୍ମିତ ଢାଞ୍ଚାର ଢାଞ୍ଚାଗତ ଅଖଣ୍ଡତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ନିର୍ମାଣ ପାଇଁ ସଠିକ୍ ଷ୍ଟିଲ୍ ବାର୍ ଚୟନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆପଣଙ୍କ ପସନ୍ଦ ହିଁ ଆପଣଙ୍କ ବିଲଡିଂର ଢାଞ୍ଚାଗତ ସୁସ୍ଥତା ଏବଂ ସ୍ଥାୟିତ୍ୱକୁ ଚୂଡ଼ାନ୍ତ ରୂପେ ପ୍ରଭାବିତ କରିଥାଏ । ତା’ ବ୍ୟତୀତ, ରଡ୍ ଗୁଡ଼ିକର ବ୍ୟାସ, ଓଜନ, ସେଥିରେ ଥିବା ଫାଟ, କଳଙ୍କି, ତାହାର ବ୍ରାଣ୍ଡ ଏବଂ ଫିନିଶଡ୍ ଧାରଗୁଡ଼ିକୁ ଯତ୍ନ ସହକାରେ ଯାଞ୍ଚ କରିବା ଜରୁରୀ ହୋଇଥାଏ । ନିର୍ମାଣରେ ରିଇନଫୋର୍ସମେଣ୍ଟ ଭାବେ (ବା ନିର୍ମାଣ କାର୍ଯ୍ୟକୁ ଅଧିକ ମଜବୁତ କରିବାର ଉପାୟ ଭାବେ) ଷ୍ଟିଲ୍ କୁ କାହିଁକି ବ୍ୟବହାର କରାଯାଏ ସେ ବାବଦରେ ବିସ୍ତୃତ ସୂଚନା ପାଇଁ ଏହି ଶିକ୍ଷାପ୍ରଦ ଭିଡିଓ ଦେଖିବା ସୁପାରିସଯୋଗ୍ୟ: ଇସ୍ପାତକୁ ଦୃଢିକରଣ ଭାବରେ କାହିଁକି ବ୍ୟବହାର କରାଯାଏ?