Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ଏବଂ ସ୍ଥାନ ଯୋଜନାର ଏକ ପ୍ରାଚୀନ ଭାରତୀୟ ବିଜ୍ଞାନ ଅଟେ ଯାହା ପ୍ରକୃତି ସହିତ ସଙ୍ଗତି ରଖି କୋଠାବାଡ଼ିର ଡିଜାଇନ୍ ଓ ନିର୍ମାଣ ସମ୍ବନ୍ଧୀୟ ଦିଗଦର୍ଶନ ଯୋଗାଇଥାଏ । ଏହାର ସିଦ୍ଧାନ୍ତରେ ଦିଗ, ଜ୍ୟାମିତି ଏବଂ ସମମିତିର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି । ଆକାର ଏବଂ ଶକ୍ତି ମଧ୍ୟରେ ସକ୍ରିୟ ସନ୍ତୁଳନ ସୃଷ୍ଟି କରି ସକାରାତ୍ମକତା ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ସ୍ଥାନ ତିଆରି କରିବା ବାସ୍ତୁର ମୁଖ୍ୟ ଲକ୍ଷ୍ୟ ଅଟେ ।
ବାସ୍ତୁ ଅନୁସାରେ ପୂର୍ବମୁଖୀ ଘର ଡିଜାଇନ୍ କରିବାରେ ସାବଧାନତାର ସହିତ ଯୋଜନା କରିବା ସଂଶ୍ଳିଷ୍ଟ ହୋଇଥାଏ ଯାହା ଉପରୋକ୍ତ ପ୍ରାଚୀନ ବିଦ୍ୟାର ସିଦ୍ଧାନ୍ତ ସହିତ ସମନ୍ୱୟ ରଖୁଥିବା ପ୍ରତ୍ୟେକ ଉପାଦାନକୁ ସୁନିଶ୍ଚିତ କରିଥାଏ । ପୂର୍ବମୁଖୀ ଘରଗୁଡ଼ିକ ପାଇଁ ବାସ୍ତୁରେ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନରେ ରଖାଯିବା ଆବଶ୍ୟକ:
ଆଦର୍ଶ ଭାବେ ମୁଖ୍ୟ ଦ୍ୱାରଟି ପୂର୍ବ ପାର୍ଶ୍ୱର ପଞ୍ଚମ ପାଦ (ଭାଗ)ରେ ଅବସ୍ଥିତ ହେବା ଉଚିତ୍ । କୁହାଯାଏ ଯେ, ଏହି ସ୍ଥାନଟି ମୁଖ୍ୟ ଦ୍ୱାର ପ୍ରବେଶମାର୍ଗ ମାଧ୍ୟମରେ ସମୃଦ୍ଧି ଏବଂ ସୁଖକୁ ଆଣିଥାଏ ।
ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉ୍ତମ ଯୋଗାଯୋଗ ଏବଂ ସୁସମ୍ପର୍କକୁ ଉନ୍ନତ କରିବା ପାଇଁ ଲିଭିଂ ରୁମ୍ କୁ ଉତ୍ତରପୂର୍ବ ଭାଗରେ ରଖନ୍ତୁ ।
କିଚେନ୍ ପାଇଁ ଦକ୍ଷିଣପୂର୍ବ କୋଣଟି ସବୁଠାରୁ ଉପଯୁକ୍ତ ହୋଇଥାଏ କାରଣ ତାହା ଅଗ୍ନି ଉପାଦାନ ଦ୍ୱାରା ଅନୁଶାସିତ ହୋଇଥାଏ ।
ଜୀବନରେ ସ୍ଥିରତା ଏବଂ ଶକ୍ତିକୁ ସୁନିଶ୍ଚିତ କରିବା ପାଇଁ ମାଷ୍ଟର ବେଡରୁମ୍ କୁ ଦକ୍ଷିଣ ପଶ୍ଚିମ ଭାଗରେ ରଖିବା ସୁପାରିସଯୋଗ୍ୟ ।
ପିଲାଙ୍କ ବେଡରୁମ୍ କୁ ଉତ୍ତରପଶ୍ଚିମ ଦିଗରେ ରଖିଲେ ସେମାନଙ୍କର ଏକାଗ୍ରତା ଏବଂ ସାମଗ୍ରିକ ସଫଳତା ବୃଦ୍ଧି ପାଇଥାଏ ।
ଉତ୍ତରପୂର୍ବ ଦିଗଟି ସବୁଠାରୁ ଶାନ୍ତିପ୍ରଦ ଏବଂ ଶୁଦ୍ଧ ସ୍ଥାନ ହୋଇଥାଏ, ତେଣୁ ତାହା ପୂଜା ଘର କିମ୍ବା ଧ୍ୟାନ ପାଇଁ ଆଦର୍ଶ ସ୍ଥାନ ହୋଇଥାଏ ।
ବିଭିନ୍ନ ଆକାରର ପ୍ଲଟ୍ ପାଇଁ ବାସ୍ତୁର ଅନୁକୂଳନଶୀଳତା କାରଣରୁ ତାହାର ସିଦ୍ଧାନ୍ତକୁ ଅନୁସରଣ କରି ଘରର ଡିଜାଇନ୍ କରିବା ଖୁବ୍ ସହଜ ହୋଇଥାଏ । ଏକ ବାସ୍ତୁ-ଅନୁକୂଳ ଘର ତିଆରି ପାଇଁ କେମିତି ବିଭିନ୍ନ ଆକାରର ପ୍ଲଟ୍ କୁ ବ୍ୟବହାର କରାଯାଇପାରିବ ଆସନ୍ତୁ ନଜର ପକାଇବା ।
ଘରମାଲିକଙ୍କ ଗହଣରେ ଖୁବ୍ ଆଦୃତ 30x40 ପୂର୍ବମୁଖୀ ଘର ବାସ୍ତୁ ଯୋଜନା କମ୍ପାକ୍ଟନେସ୍ ସହିତ ପର୍ଯ୍ୟାପ୍ତ ବାସସ୍ଥାନ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ । ଲେ’ଆଉଟ୍ କୁ ଏପରି ଭାବେ ଡିଜାଇନ୍ କରାଯିବ ଉଚିତ୍, ଯାହାଫଳରେ ବାସ୍ତୁର ସିଦ୍ଧାନ୍ତ ଅନୁସାରେ ମୁଖ୍ୟ ପ୍ରବେଶପଥ, ବାସ ସ୍ଥାନ ଏବଂ ବ୍ୟକ୍ତିଗତ କୋଠରୀଗୁଡ଼ିକ ମୁଖ୍ୟ ଦିଗଗୁଡ଼ିକ ସହିତ ସୁସଙ୍ଗତ ହୋଇପାରୁଥିବ ।
ଆପେକ୍ଷିକ ଭାବେ ସରୁ ଏବଂ ଲମ୍ବାଳିଆ ପ୍ଲଟ୍ ମାଲିକମାନଙ୍କ ପାଇଁ ଏକ 30x60 ପୂର୍ବମୁଖୀ ଘର ଯୋଜନା ଏକ ବିସ୍ତାରିତ ଲେ’ଆଉଟ୍ ପ୍ରଦାନ କରିଥାଏ, ଯେଉଁଠି ପ୍ରଶସ୍ତ ଅଗଣା ବା ବଗିଚା ରଖିବା ସମ୍ଭବ ହୋଇପାରେ । ବାସ୍ତୁ ସିଦ୍ଧାନ୍ତ ଅନୁସାରେ, ମୁଖ୍ୟ ଦ୍ୱାର ଏବଂ କିଚେନ୍ ଓ ମାଷ୍ଟର ବେଡରୁମ୍ ଭଳି କୋଠରୀଗୁଡ଼ିକୁ ସକାରାତ୍ମକ ପ୍ରବାହ ନିମନ୍ତେ ଉପଯୁକ୍ତ ଭାବେ ସ୍ଥାନିତ କରନ୍ତୁ ।
ବୃହଦାକାର ତଥା ବିଳାସପୂର୍ଣ୍ଣ ଘର ଚାହୁଁଥିବା ଲୋକମାନଙ୍କ ପାଇଁ 40x60 ପୂର୍ବମୁଖୀ ଘର ଯୋଜନା ସବୁଠାରୁ ଉପଯୁକ୍ତ ହୋଇଥାଏ । ପ୍ରବେଶପଥରୁ ବାଡ଼ି ପର୍ଯ୍ୟନ୍ତ ମନରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏବଂ ଦିଗକୁ ରଖାଯାଇ ବାସ୍ତୁବିଦ୍ୟା ସହିତ ଡିଜାଇନ କରାଯାଇଥିବା ଏଭଳି ଭବ୍ୟ ଜାଗାଗୁଡ଼ିକର ପ୍ରତ୍ୟେକ ଅଞ୍ଚଳ ମଧ୍ୟ ଶାନ୍ତି, ଧନ ଏବଂ ସୁସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିପାରିବ ।
ସୂର୍ଯ୍ୟର ପ୍ରଥମ କିରଣ ସହିତ ପୂର୍ବ ଦିଗର ସଂଶ୍ଳିଷ୍ଟତା କାରଣରୁ ବାସ୍ତୁ ଶାସ୍ତ୍ରରେ ପୂର୍ବମୁଖୀ ଘରଗୁଡ଼ିକୁ ଶୁଭ ବିବେଚନା କରାଯାଏ । ଏହା ବିଶ୍ୱାସ କରାଯାଏ ଯେ, ମୁଖ୍ୟ ପ୍ରବେଶପଥକୁ ପୂର୍ବମୁଖୀ କରି ରଖିଲେ ଘରେ ଶକ୍ତି, ସଫଳତା ଏବଂ ଧନ ଆକର୍ଷିତ ହୋଇଥାଏ । ଭିଟାମିନ୍ ଡି ରେ ସମୃଦ୍ଧି ସକାଳର ପ୍ରଥମ ସୂର୍ଯ୍ୟକିରଣ ଘରକୁ ପରିଷ୍କୃତ କରିଥାଏ ଏବଂ ଘରେ ବାସ କରୁଥିବା ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ଓ ନିରାମୟକୁ ସୁନିଶ୍ଚିତ କରିଥାଏ । ଘର ସଦସ୍ୟମାନଙ୍କ ପାଇଁ ବାସ୍ତୁ ଯୋଜନା ଅନୁଯାୟୀ ପୂର୍ବମୁଖୀ ଘର କାହିଁକି ଉପାଦେୟ:
ପୂର୍ବ ଦିଗଟି ସୂର୍ଯ୍ୟୋଦୟ ସହିତ ଜଡ଼ିତ ଅଟେ, ଯାହା ଆଲୋକ, ଜ୍ଞାନ ଏବଂ ଆଧ୍ୟାତ୍ମିକ ବିକାଶର ପ୍ରତୀକ ଅଟେ । ପୂର୍ବମୁଖୀ ଘରଗୁଡ଼ିକ ଏହିସବୁ ଶକ୍ତିର ସଦୁପଯୋଗ କରିଥାଏ ଏବଂ ଘର ବାସିନ୍ଦାଙ୍କ ଜ୍ଞାନୋଦୟ ଓ ପ୍ରାଞ୍ଜଳତାରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।
ବାସ୍ତୁ ଶାସ୍ତ୍ରରେ ପୂର୍ବମୁଖୀ ପ୍ରବେଶପଥଗୁଡ଼ିକୁ ଶୁଭ ବିବେଚନା କରାଯାଏ, ଯାହା ଘର ମଧ୍ୟକୁ ସକାରାତ୍ମକ ସ୍ପନ୍ଦନଗୁଡ଼ିକୁ ଆକୃଷ୍ଟ କରିଥାଏ । ଏହାର ଆଂଶିକ କାରଣ ହେଉଛି ସକାଳୁଆ ସୂର୍ଯ୍ୟ କିରଣ, ଯାହା ଆଭ୍ୟନ୍ତରୀଣ ପରିବେଶକୁ ନିର୍ମଳ କରିବା ସହିତ ସାଥିରେ ସକାରାତ୍ମକତା ନେଇଆସିତାଏ ବୋଲି ବିଶ୍ୱାସ କରାଯାଏ ।
ପୂର୍ବମୁଖୀ ଘରଗୁଡ଼ିକରେ ପ୍ରବେଶ କରୁଥିବା ସକାଳର ସୂର୍ଯ୍ୟକିରଣ କେବଳ ସାମାନ୍ୟ ଆଲୋକ ହୋଇ ନ ଥାଏ; ତାହା ଭିଟାମିନ୍ ଡି ରେ ସମୃଦ୍ଧ ହୋଇଥାଏ, ଯାହା ଘରର ବାସିନ୍ଦାମାନଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଅତ୍ୟାବଶ୍ୟକ ଅଟେ । ତା’ ସହିତ ଉଜ୍ଜ୍ୱଳ, ଆନନ୍ଦଦାୟକ ଆଲୋକ ମନୋବଳ, ଉତ୍ପାଦକତା ଏବଂ ଆର୍ଥିକ ସଫଳତା ବୃଦ୍ଧି କରୁଥିବାର ବିଶ୍ୱାସ କରାଯାଏ ।
ପୂର୍ବ ଦିଗ ସାମାଜିକ ସମ୍ପର୍କ ସହିତ ମଧ୍ୟ ସଂଶ୍ଳିଷ୍ଟ ହୋଇଥାଏ । ଏହି ଦିଗକୁ ମୁହଁ କରି ରହିଥିବା ଘରଗୁଡ଼ିକର ବାସିନ୍ଦାଙ୍କ ମଧ୍ୟରେ ପରସ୍ପର ସହିତ ଏବଂ ବିସ୍ତାରିତ ଗୋଷ୍ଠୀରେ ସୌହାର୍ଦ୍ଦ୍ୟ ରହିଥାଏ, ଯାହା ସାମାଜିକ କଲ୍ୟାଣକୁ ସୁନିଶ୍ଚିତ କରିଥାଏ ।
ଅଭିବୃଦ୍ଧି ଏବଂ ଜୀବନୀଶକ୍ତି ସହିତ ଏହାର ସାହଚର୍ଯ୍ୟକୁ ଦୃଷ୍ଟିରେ ରଖି, ଯୁବ ଦମ୍ପତି କିମ୍ବା ବୃଦ୍ଧିଶୀଳ ପରିବାର ପାଇଁ ଏକ ପୂର୍ବମୁଖୀ ଘର ସୁପାରିସଯୋଗ୍ୟ ହୋଇଥାଏ, ଯାହା ସେମାନଙ୍କର ଯୁବ ଓ ଶିଶୁ ସଦସ୍ୟଙ୍କ ବିକାଶ ଏବଂ କଲ୍ୟାଣକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ ।
ଏପରି କେତେକ ପରିବେଶ ରହିଥାଇପାରେ, ଯେଉଁଠି ଜାଗା ବାଧକ ସାଜୁଥିବ ଏବଂ ସେପରି ଜାଗାରେ ନିଜ ଘରକୁ ବାସ୍ତୁ ଶାସ୍ତ୍ରର ସୁସଙ୍ଗତ କରିବା ସର୍ବଦା ସମ୍ଭବ ହୋଇପାରିନଥାଏ । କିନ୍ତୁ ଏଭଳି ପରିସ୍ଥିତିଗୁଡ଼ିକରେ ମଧ୍ୟ, ଆପଣ ଅଳ୍ପ କେତୋଟି ଆଡଜଷ୍ଟମେଣ୍ଟ କରି ନିଜ ବାସସ୍ଥାନରେ ସମୃଦ୍ଧି ଓ ସକାରାତ୍ମକ ଶକ୍ତିକୁ ଆମନ୍ତ୍ରିତ କରିପାରିବେ ।
ଘର ମଧ୍ୟରେ ପ୍ରଶାନ୍ତି ଆଣିବା ଏବଂ ବାସ୍ତୁ ବୋଧକୁ ଜୀବନ୍ତ ରଖିବା ପାଇଁ ଘର ଇଣ୍ଟେରିୟର୍ ନିମନ୍ତେ ନୀଳ, ସବୁଜ ଏବଂ ଧଳା ଭଳି ଉଜ୍ଜ୍ୱଳ ରଙ୍ଗ ବାଛନ୍ତୁ ।
ଦର୍ପଣଗୁଡ଼ିକୁ ଉତ୍ତର ଏବଂ ପୂର୍ବ କାନ୍ଥଗୁଡ଼ିକରେ ଟାଙ୍ଗନ୍ତୁ । ଏହା ଜାଗାଟି ବିସ୍ତୀର୍ଣ୍ଣ ହୋଇଥିବାର ଭ୍ରମ ସୃଷ୍ଟି କରିଥାଏ ଏବଂ ଏହା ବିଶ୍ୱାସ କରାଯାଏ ଯେ ଏପରି ସ୍ଥାନରେ ଦର୍ପଣ ରଖିଲେ ଆପଣଙ୍କ ଘର ମଧ୍ୟ ଦେଇ ସକାରାତ୍ମକ ଶକ୍ତିଗୁଡ଼ିକ ପ୍ରବାହିତ ହୋଇଥାଏ ।
ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ, ଉତ୍ତରପୂର୍ବ କୋଣରେ ଗଛ ଓ ଛୋଟ ୱାଟର ଫାଉଣ୍ଟେନ୍ ରଖିଲେ ସନ୍ତୁଳନ ରକ୍ଷାରେ ସହାୟତା ମିଳିଥାଏ ଏବଂ ଆପଣଙ୍କ ସହରାଞ୍ଚଳ ବାସସ୍ଥାନଟି ଶାନ୍ତିରେ ପରିପୂର୍ଣ୍ଣ ହୋଇଥାଏ ।
ଏହି ଛୋଟ ଛୋଟ ପ୍ରତିକାରଗୁଡ଼ିକ ଆପଣଙ୍କ ଜାଗାରେ ପ୍ରବାହିତ ଶକ୍ତିକୁ ଅପେକ୍ଷାକୃତ ପ୍ରଭାବିତ କରିଥାଏ । ଏହାଫଳରେ ଅଧିକାଂଶ ସହରୀ ଘରଗୁଡ଼ିକ ମଧ୍ୟ ବାସ୍ତୁର ସନ୍ତୁଳନକୁ ଉପଭୋଗ କରିପାରିଥାନ୍ତି ।
ଯେତେଦୂର ସମ୍ଭବ ସେତେଦୂର ପର୍ଯ୍ୟନ୍ତ ପୂର୍ବମୁଖୀ ଘର ବାସ୍ତୁ ଯୋଜନାକୁ ଆପଣାଇ ଆପଣ ନିଜ ଜୀବନରେ ଶାନ୍ତି ଓ ସମୃଦ୍ଧିକୁ ସୁନିଶ୍ଚିତ କରିପାରିବେ । ସକାଳର ମନୋରମ ସୂର୍ଯ୍ୟକିରଣ ପାଇବାଠାରୁ ଆରମ୍ଭ କରି ସକାରାତ୍ମକ ମାହୋଲକୁ ଆମନ୍ତ୍ରିତ କରିବା ପର୍ଯ୍ୟନ୍ତ, ଏପରି ଘର ଏକ ଅଧିକ ସୁଖଦାୟକ ଏବଂ ସ୍ୱାସ୍ଥ୍ୟପ୍ରଦ ବାସସ୍ଥାନରେ ପରିଣତ ହୋଇଥାଏ । ବାସ୍ତୁ ଉପଦେଶକୁ ଧ୍ୟାନରେ ରଖିବା ଦ୍ୱାରା, ଆପଣ ନିଜର ଘରକୁ ଆନନ୍ଦ, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ଉତ୍ସରେ ପରିଣତ କରିପାରିବେ ।