Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ଏକ ନିର୍ମାଣ ପ୍ରକଳ୍ପ ଆରମ୍ଭ କରିବା ସମୟରେ, ଉପଯୁକ୍ତ କଣ୍ଟ୍ରାକ୍ଟରଙ୍କ ଚୟନ ଅନ୍ୟତମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ । କଣ୍ଟ୍ରାକ୍ଟରଙ୍କ ଭୂମିକା କେବଳ ଜଣେ ବିଲ୍ଡର ମଧ୍ୟରେ ସୀମିତ ହୋଇ ନ ଥାଏ; ଯେକୌଣସି ନିର୍ମାଣ ଉଦ୍ୟମର ସଫଳ ନିର୍ବାହ ପଛରେ ସେମାନେ ପ୍ରେରକ ଶକ୍ତି ହୋଇଥାନ୍ତି । ଯେକୌଣସି ନିର୍ମାଣ ପ୍ରକଳ୍ପ ବହୁ ମାତ୍ରାରେ ସେଥିରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ପେସାଦାରଙ୍କ ବିଶେଷଜ୍ଞତା ଏବଂ ଅବଦାନ ଉପରେ ନିର୍ଭରଶୀଳ ହୋଇଥାଏ । ସେମାନଙ୍କ ମଧ୍ୟରୁ, ପ୍ରକଳ୍ପର ସୁରୁଖୁରୁ ନିର୍ବାହ ଏବଂ ଠିକ୍ ସମୟରେ ତାହାର ସମାପ୍ତିକୁ ସୁନିଶ୍ଚିତ କରିବାରେ କଣ୍ଟ୍ରାକ୍ଟରମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି । ସେମାନଙ୍କର ମହତ୍ତ୍ୱକୁ ବୁଝିବା ପାଇଁ, ସେମାନଙ୍କର ବିଭିନ୍ନ ଭୂମିକା ଏବଂ ଦାୟିତ୍ୱ କ’ଣ ହୋଇଥାଏ ତାହା ଜାଣିରଖିବା ମହତ୍ତ୍ୱପୂର୍ଣ୍ଣ ।
କଣ୍ଟ୍ରାକ୍ଟରମାନେ ସମଗ୍ର ନିର୍ମାଣ ପ୍ରକ୍ରିୟାରେ ବ୍ୟାପକ କିସମର ଦାୟିତ୍ୱ ହାତକୁ ନେଇଥାନ୍ତି । ସେମାନେ ଗ୍ରାହକ, ସବ୍-କଣ୍ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ହିତଧାରକଙ୍କ ସହିତ ଘନିଷ୍ଠ ଭାବେ ମିଶି କାମ କରିଥାନ୍ତି । ଯଦିଓ ପ୍ରତ୍ୟେକ ପ୍ରକଳ୍ପରେ କଣ୍ଟ୍ରାକ୍ଟରମାନଙ୍କ ବିନିର୍ଦ୍ଦିଷ୍ଟ କାର୍ଯ୍ୟ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ସାଧାରଣ ଦୃଷ୍ଟିରୁ ସେମାନଙ୍କର ଭୂମିକା ଓ ଦାୟିତ୍ୱ ସର୍ବଦା ସମାନ ହୋଇଥାଏ । ଚାଲନ୍ତୁ, ସେ ବିଷୟରେ ବିସ୍ତୃତ ଆଲୋଚନା କରିବା ।
ନିର୍ମାଣ ପ୍ରକଳ୍ପଗୁଡ଼ିକୁ ସଫଳତାପୂର୍ବକ ସମାପ୍ତ କରିବା ପାଇଁ ଫଳପ୍ରଦ ପ୍ରକଳ୍ପ ଯୋଜନା ପ୍ରସ୍ତୁତି କଣ୍ଟ୍ରାକ୍ଟରଙ୍କ ଏକ ଅତ୍ୟାବଶ୍ୟକ ଭୂମିକା ହୋଇଥାଏ । ପ୍ରକଳ୍ପର ବିକାଶ ଏବଂ ରୂପାୟନର ଯୋଜନା ଆଗୁଆ ପ୍ରସ୍ତୁତ କରିବା କଣ୍ଟ୍ରାକ୍ଟରମାନଙ୍କ ଦାୟିତ୍ୱ ହୋଇଥାଏ । ଏହା ମଧ୍ୟରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:
1. ପ୍ରକଳ୍ପ ପାଇଁ କେଉଁ କେଉଁ ସାମଗ୍ରୀ, ଉପକରଣ ଏବଂ ସମ୍ବଳ ଆବଶ୍ୟକ ହେବ ତାହା ନିର୍ଦ୍ଧାରଣ ଓ ଆକଳନ କରିବା ।
2. ନିର୍ମାଣ ପ୍ରକ୍ରିୟାରେ ଉତ୍ପନ୍ନ ହେବାର ସମ୍ଭାବନା ଥିବା ଯେକୌଣସି ସମ୍ଭାବ୍ୟ ଛୋଟ ବଡ଼ ପରିବର୍ତ୍ତନକୁ ଆଗୁଆ ଅନୁମାନ କରିବା ଓ ତାହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ।
3. ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ବିନିର୍ଦ୍ଦେଶଗୁଡ଼ିକର ଅନୁପାଳନକୁ ସୁନିଶ୍ଚିତ କରିବା ।
4. ଗ୍ରାହକ ଏବଂ ସବ୍-କଣ୍ଟ୍ରାକ୍ଟରଙ୍କ ସମେତ ନିର୍ମାଣ କାର୍ଯ୍ୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷବୃନ୍ଦଙ୍କ ମଧ୍ୟରେ ଉତ୍କୃଷ୍ଟ ଯୋଗାଯୋଗକୁ ସୁବିଧାଜନକ କରିବା ।
5. ପ୍ରକଳ୍ପ ସମ୍ବନ୍ଧିତ ଆଇନଗତ ଏବଂ ନିୟାମକ ଆବଶ୍ୟକତାଗୁଡ଼ିକୁ ଚିହ୍ନଟ କରିବା ଓ ସେଗୁଡ଼ିକୁ ଅନୁସରଣ କରିବା ।
ପ୍ରକଳ୍ପ ପ୍ରବନ୍ଧନ, ନିର୍ମାଣ ପ୍ରକ୍ରିୟାର ବିଭିନ୍ନ ଦିଗଗୁଡ଼ିକର ତଦାରଖ କରିବାରେ କଣ୍ଟ୍ରାକ୍ଟରମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ସେମାନଙ୍କର ଦାୟିତ୍ୱ ମଧ୍ୟରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:
1. ନିର୍ମାଣ କାର୍ଯ୍ୟ ପାଇଁ ଆବଣ୍ଟିତ ହୋଇଥିବା ବଜେଟର ପ୍ରବନ୍ଧନ କରିବା ଏବଂ ଆର୍ଥିକ ଦକ୍ଷତାକୁ ସୁନିଶ୍ଚିତ କରିବା ।
2. ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବା ପାଇଁ ଆବଶ୍ୟକୀୟ ବିଶେଷଜ୍ଞତା ରଖୁଥିବା ଉପଯୁକ୍ତ ସବ୍-କଣ୍ଟ୍ରାକ୍ଟର ଏବଂ ବ୍ୟକ୍ତିମାନଙ୍କୁ ନିୟୋଜିତ କରିବା ।
3. ଉପକରଣ, ସାମଗ୍ରୀ ଏବଂ ପ୍ରକଳ୍ପର ସୁରୁଖୁରୁ ସମ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସେବାଗୁଡ଼ିକର ବୁଝାଶୁଝା ଓ ପ୍ରବନ୍ଧନ କରିବା ।
4. ପରିବେଶୀୟ ପ୍ରଭାବକୁ ନ୍ୟୂନତମ କରିବା ପାଇଁ ଦକ୍ଷ ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ।
5. ଚୁକ୍ତି ଦସ୍ତାବିଜର ସର୍ତ୍ତ ଓ ନିୟମାବଳୀ ଆଧାରରେ ବିଲ୍ ପ୍ରସ୍ତୁତ ଓ ଦାଖଲ କରିବା ।
ପ୍ରକଳ୍ପରେ ଯେପରି ନିର୍ଦ୍ଧାରିତ ସମୟସୂଚୀ, ଗୁଣବତ୍ତା ମାନକ ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯାଉଛି ତାହା ସୁନିଶ୍ଚିତ କରିବା ପାଇଁ କଣ୍ଟ୍ରାକ୍ଟରମାନେ ପ୍ରକଳ୍ପର ସତର୍କ ତଦାରଖ କରିଥାନ୍ତି । ସେମାନଙ୍କର ତଦାରଖ ଦାୟିତ୍ୱ ମଧ୍ୟରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:
1. ପରିବର୍ତ୍ତନ ଏବଂ ମତାମତ ଆଧାରରେ ପ୍ରକଳ୍ପ କାର୍ଯ୍ୟକ୍ରମକୁ ନିୟମିତ ଭାବେ ସମୀକ୍ଷା କରିବା, ଆବଶ୍ୟକୀୟ ପରିବର୍ତ୍ତନ କରିବା ଏବଂ ଅପଡେଟ୍ କରିବା ।
2. ସମ୍ବଳର ସଦୁପଯୋଗ କରିବା ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ନିର୍ମାଣ କାର୍ଯ୍ୟରେ ଅର୍ଥସାଶ୍ରୟୀ ନିର୍ମାଣ କୌଶଳଗୁଡ଼ିକୁ କାମରେ ଲଗାଇବା ।
3. ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ବଜାୟ ରଖିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ନଜର କରିବା ଏବଂ ସମସ୍ୟାଗୁଡ଼ିକୁ ଦୂର କରିବା ।
ସମଗ୍ର ନିର୍ମାଣ ପ୍ରକ୍ରିୟାରେ ଆଇନଗତ ଅନୁପାଳନକୁ ସୁନିଶ୍ଚିତ କରିବା କଣ୍ଟ୍ରାକ୍ଟରମାନଙ୍କ ଦାୟିତ୍ୱ ହୋଇଥାଏ । ଏପରି ଦାୟିତ୍ୱଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:
1. ବିଲଡିଂ ପରମିଟ୍ ଆବେଦନର ପ୍ରବନ୍ଧନ ଏବଂ ନିୟାମକ ଆବଶ୍ୟକତାର ଅନୁପାଳନକୁ ସୁନିଶ୍ଚିତ କରିବା ।
2. ପ୍ରକଳ୍ପ ଯେପରି ସମସ୍ତ ଆବଶ୍ୟକୀୟ ଆଇନଗତ ଏବଂ ନିୟାମକ ମାନକକୁ ପୂରଣ କରୁଛି ତାହା ସୁନିଶ୍ଚିତ କରିବା ।
3. ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁମତି ବା ପରମିଟ୍, ଲାଇସେନ୍ସ ଏବଂ ପ୍ରମାଣନ ହାସଲ କରିବା ।
ନିର୍ମାଲ ସ୍ଥଳରେ ସ୍ୱାସ୍ଥ୍ୟ ଓ ସୁରକ୍ଷା ବା ନିରାପତ୍ତାକୁ ପ୍ରାଥମିକତା ଦେବାରେ କଣ୍ଟ୍ରାକ୍ଟରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ସେମାନଙ୍କ ଦାୟିତ୍ୱ ମଧ୍ୟରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ ହୋଇଥାଏ:
1. ଶ୍ରମିକ ଏବଂ ସାଇଟ୍ ଆଗନ୍ତୁକମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରୁଥିବା ଉପଯୁକ୍ତ ସୁରକ୍ଷା ନୀତି କାର୍ଯ୍ୟକାରୀ କରିବା । ଏହା ମଧ୍ୟରେ ରିସ୍କ ମ୍ୟାନେଜମେଣ୍ଟ ରଣନୀତି, ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ନିବାରଣମୂଳକ ପଦକ୍ଷେପ ଅନ୍ତର୍ଭୁକ୍ତ ହୋଇପାରେ ।
2. ନିର୍ମାଣ ସାଇଟ୍ ରେ କାମ କରୁଥିବା କିମ୍ବା ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିମାନଙ୍କ ନିକଟରେ ଯେପରି ସମସ୍ତ ଆବଶ୍ୟକୀୟ ସୁରକ୍ଷା ସରଞ୍ଜାମ ଅଛି ଏବଂ ସେମାନେ ତାହାକୁ ବ୍ୟବହାର କରିବା ଜାଣିଛନ୍ତି ତାହା ସୁନିଶ୍ଚିତ କରିବା ।
3. ଦୁର୍ଘଟଣା ଏବଂ ଆଘାତର ଆଶଙ୍କାକୁ ନ୍ୟୂନତମ କରିବା ପାଇଁ ଶ୍ରମିକମାନଙ୍କୁ ନିୟମିତ ଏବଂ ନିରବଚ୍ଛିନ୍ନ ଭାବେ ସୁରକ୍ଷା ସଚେତନତା ଏବଂ ପ୍ରଶିକ୍ଷଣ ଯୋଗାଇବା ।
ସଂକ୍ଷେପରେ କହିବାକୁ ଗଲେ, ନିର୍ମାଣ ପ୍ରକଳ୍ପଗୁଡ଼ିକରେ କଣ୍ଟ୍ରାକ୍ଟରମାନେ ବହୁମୁଖୀ ଭୂମିକା ତୁଲାଇଥାନ୍ତି ଏବଂ ପ୍ରକଳ୍ପର ସଫଳ ସମାପ୍ତି ପାଇଁ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପ୍ରକଳ୍ପ ଯୋଜନା ପ୍ରସ୍ତୁତି, ପ୍ରବନ୍ଧନ, ତଦାରଖ, ଆଇନଗତ ଅନୁପାଳନ ଏବଂ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶର ରକ୍ଷାବେକ୍ଷଣ ସେମାନଙ୍କର ଦାୟିତ୍ୱ ହୋଇଥାଏ । ସେମାନେ ପ୍ରକଳ୍ପକୁ ଦକ୍ଷତାର ସହିତ ଏବଂ ଫଳପ୍ରଦ ଢଙ୍ଗରେ ସମାପ୍ତ କରିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ବିଶେଷଜ୍ଞତା, ସମ୍ବଳ ଏବଂ ସମନ୍ୱୟକୁ ଏକାଠି କାମରେ ଲଗାଇଥାନ୍ତି । ନିର୍ମାଣ ପ୍ରକଳ୍ପରେ ପ୍ରମୁଖ ଅବଦାନ ଯୋଗାଉଥିବା କଣ୍ଟ୍ରାକ୍ଟରମାନଙ୍କ ଭୂମିକା ଏବଂ ଦାୟିତ୍ୱଗୁଡ଼ିକୁ ବୁଝିବା ଦ୍ୱାରା, ଗ୍ରାହକ ଏବଂ ଅନ୍ୟାନ୍ୟ ହିତଧାରକମାନେ ସେମାନଙ୍କର ଅବଦାନକୁ ଉତ୍ତମ ରୂପେ ହୃଦୟଙ୍ଗମ କରିପାରିବେ ଏବଂ ସେମାନଙ୍କ ସହିତ ସହଯୋଗ କରି ପ୍ରକଳ୍ପକୁ ସଫଳତାର ସହିତ ସମାପ୍ତ କରିପାରିବେ ।