Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ଏକ ସୌହାର୍ଦ୍ଦପୂର୍ଣ୍ଣ ଏବଂ ଆକର୍ଷଣୀୟ ଡାଇନିଂ ରୁମ୍ ପାଇଁ, ତାହାର ଡିଜାଇନ୍ ଏବଂ ବିନ୍ୟାସରେ ବାସ୍ତୁର ସିଦ୍ଧାନ୍ତକୁ ପ୍ରୟୋଗ କରାଯିବା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆପଣଙ୍କ ଡାଇନିଂ ଏରିଆ ପାଇଁ ଆପଣ ବାସ୍ତୁ ଶାସ୍ତ୍ରର ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ବିଚାରକୁ ନେଇପାରନ୍ତି:
ବାସ୍ତୁଶାସ୍ତ୍ରରେ ଆପଣଙ୍କ ଡାଇନିଂ ରୁମ୍ ର ଅବସ୍ଥିତି ତାହା ଆକର୍ଷିତ କରୁଥିବା ଶକ୍ତିକୁ ପ୍ରଭାବିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆଦର୍ଶ ଭାବେ, ଆପଣଙ୍କ ଡାଇନିଂ ଏରିଆର ଅବସ୍ଥିତି ଆପଣଙ୍କ ଘରର ପଶ୍ଚିମ କିମ୍ବା ଉତ୍ତରପଶ୍ଚିମ ଭାଗରେ ହେବା ଉଚିତ । ଏହି ଅବସ୍ଥିତି ଭୋଜନ ସମୟରେ ପ୍ରାଚୁର୍ଯ୍ୟତା ଏବଂ ସମୃଦ୍ଧିକୁ ଆକର୍ଷିତ କରିବାର ବିଶ୍ୱାସ କରାଯାଏ । ଡାଇନିଂ ରୁମ୍ କୁ ବେଡ୍-ରୁମ୍ କିମ୍ବା ଘରର ମଧ୍ୟଭାଗରେ ରଖିବାର ସାଧାରଣ ଭୁଲଠାରୁ ଦୂରେଇ ରୁହନ୍ତୁ, କାରଣ ଏପରି ଅବସ୍ଥିତି ସକାରାତ୍ମକ ଶକ୍ତି ପ୍ରବାହରେ ବାଧା ସୃଷ୍ଟି କରିପାରେ ।
ସ୍ଥାପତ୍ୟକଳା ଏବଂ ଡିଜାଇନର ପ୍ରାଚୀନ ଭାରତୀୟ ବିଜ୍ଞାନ - ବାସ୍ତୁ ଶାସ୍ତ୍ରର ଜଗତରେ ଆପଣଙ୍କ ଡାଇନିଂ ଟେବୁଲ ଅବସ୍ଥିତ ରହିଥିବା ଦିଗର ମହତ୍ତ୍ୱ କେବଳ ସୌନ୍ଦର୍ଯ୍ୟ ଦୃଷ୍ଟିକୋଣ ମଧ୍ୟରେ ସୀମିତ ନ ଥାଏ; ବରଂ ତାହା ଶକ୍ତିର ପ୍ରବାହନ ଏବଂ କଲ୍ୟାଣ ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡ଼ିତ ହୋଇଥାଏ । ବାସ୍ତୁ ସିଦ୍ଧାନ୍ତ ଅନୁସାରେ, ଆଦର୍ଶ ଭାବେ, ଡାଇନିଂ ଟେବୁଲକୁ ଏପରି ସ୍ଥାନରେ ରଖାଯିବା ଆବଶ୍ୟକ ଯେମିତିକି ଭୋଜନ ଗ୍ରହଣ ସମୟରେ ପରିବାରର ମୁଖ୍ୟ ସଦସ୍ୟଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗ ଆଡ଼କୁ ରହୁଥିବ । ବିଶ୍ୱାସ କରାଯାଏ ଯେ, ଏପରି ବନ୍ଦୋବସ୍ତ ହଜମକ୍ରିୟାକୁ ଉନ୍ନତ କରିବା ସହିତ ସକାରାତ୍ମକ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରିଥାଏ, ଏବଂ ସମସ୍ତଙ୍କ ପାଇଁ ଏକ ସୁଖପ୍ରଦ ଭୋଜନ ଅନୁଭୂତିକୁ ସୁନିଶ୍ଚିତ କରିଥାଏ ।
ରଙ୍ଗରେ ଆପଣଙ୍କ ଡାଇନିଂ ରୁମ୍ ର ଶକ୍ତି ଏବଂ ବାତାବରଣକୁ ପ୍ରଭାବିତ କରିବାର ଶକ୍ତି ରହିଥାଏ । ବାସ୍ତୁ ଅନୁଯାୟୀ ଡାଇନିଂ ରୁମ୍ ର ରଙ୍ଗ ଚୟନ କରିବା ପାଇଁ, ଉଷ୍ମ ଏବଂ ଶାନ୍ତିପ୍ରଦ ରଙ୍ଗ ଚୟନ କରନ୍ତୁ, ଯେପରିକି - ହଳଦିଆ କିମ୍ବା ପୀତାଭ ବାଦାମୀ ରଙ୍ଗର ବିଭିନ୍ନ ବର୍ଣ୍ଣ । ଡାଇନିଂ ରୁମ୍ ବାସ୍ତୁ ଅନୁଯାୟୀ ଏହି ରଙ୍ଗଗୁଡ଼ିକ ଏକ ସ୍ୱାଗତପୂର୍ଣ୍ଣ ଏବଂ ପୁଷ୍ଟିଦାୟକ ପରିବେଶ ସୃଷ୍ଟି କରିଥାଏ । ଅନ୍ୟ ପକ୍ଷରେ, ଅନ୍ଧାରୁଆ କିମ୍ବା ବିଷର୍ଣ୍ଣ ରଙ୍ଗଗୁଡ଼ିକୁ ଏଡ଼ାଇବା ପରାମର୍ଶଯୋଗ୍ୟ ଅଟେ, କାରଣ ତାହା ଆପଣଙ୍କ ଭୋଜନର ଅନୁଭୂତିର ପ୍ରାଣପ୍ରାଚୂର୍ଯ୍ୟତାକୁ ନିସ୍ତେଜ କରିପାରେ ।
Tପ୍ରବେଶ ପଥ ଡାଇନିଂ ରୁମ୍ ବାସ୍ତୁ ଡିଜାଇନର ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ଅଟେ । ତାହା ଯେପରି ସୁ-ଆଲୋକିତ ଏବଂ କୌଣସି ପ୍ରକାର ଅବରୋଧରୁ ମୁକ୍ତ ରହେ ତାହା ସୁନିଶ୍ଚିତ କରନ୍ତୁ । ଏହା ସକାରାତ୍ମକ ଶକ୍ତି ପାଇଁ ଏକ ପରିଷ୍କାର ଓ ଆକର୍ଷଣୀୟ ମାର୍ଗ ସୃଷ୍ଟି କରିଥାଏ । ଏହି ସକାରାତ୍ମକ କମ୍ପନଗୁଡ଼ିକୁ ବୃଦ୍ଧି କରିବା ପାଇଁ, ପ୍ରବେଶପଥକୁ ଶୁଭ ପ୍ରତୀକ ଚିହ୍ନ କିମ୍ବା ଚିତ୍ରକଳାରେ ସଜାଇବା ବିଚାରକୁ ନିଅନ୍ତୁ ।
ସଠିକ୍ ଆଲୋକ ବ୍ୟବସ୍ଥା ଆପଣଙ୍କ ଡାଇନିଂ ରୁମ୍ ବାତାବରଣର ଟୋନ୍ ସ୍ଥିର କରିଥାଏ । ଡାଇନିଂ ରୁମ୍ ବାସ୍ତୁ ଅନୁଯାୟୀ, କୋଠରୀରେ ପ୍ରାଣପ୍ରାଚୁର୍ଯ୍ୟତା ଏବଂ ଶକ୍ତିକୁ ଭରପୂର କରିବା ପାଇଁ ଯେତେ ଅଧିକ ସମ୍ଭବ ପ୍ରାକୃତିକ ଆଲୋକକୁ ବ୍ୟବହାର କରନ୍ତୁ । ସନ୍ଧ୍ୟାବେଳେ, କୋମଳ ଓ ଉଷ୍ମ ଆଲୋକର ବିକଳ୍ପକୁ ଚୟନ କରନ୍ତୁ, ଯାହା ଆପଣଙ୍କ ଭୋଜନ ପାଇଁ ଏକ ସୁଖକର ଏବଂ ଶାନ୍ତିପ୍ରଦ ବାତାବରଣ ସୃଷ୍ଟି କରିଥାଏ ଏବଂ ପ୍ରତ୍ୟେକ ଭୋଜନ ଅନୁଭୂତିକୁ ସ୍ମରଣୀୟ କରିଥାଏ ।
ଏହିସବୁ ଉପଦେଶ ବ୍ୟତୀତ, ଡାଇନିଂ ରୁମ୍ ବାସ୍ତୁ କଥା ବିଚାରକୁ ନେବା ସମୟରେ ଆପଣ ଆଉ କେତୋଟି କଥାକୁ ଧ୍ୟାନରେ ରଖିପାରନ୍ତି:
ବାସ୍ତୁ ଅନୁସାରେ, ଆଜେବାଜେ ବସ୍ତୁରୁ ମୁକ୍ତ ଏକ ଡାଇନିଂ ଏରିଆ ସକାରାତ୍ମକ ଶକ୍ତି ପ୍ରବାହକୁ ପ୍ରୋତ୍ସାହିତ କରିବା ସହିତ ଏକ ଶାନ୍ତିପ୍ରଦ ବାତାବରଣକୁ ବଜାୟ ରଖିବାରେ ସହାୟକ ହୋଇଥାଏ । ଡାଇନିଂ ସ୍ଥାନକୁ ସଫାସୁତରା ଏବଂ ବ୍ୟବସ୍ଥିତ କରି ରଖନ୍ତୁ । ଏହି ସ୍ଥାନରେ ଯେପରି ଅଦରକାରୀ ଏବଂ ଅନାବନା ସାମଗ୍ରୀ ଜମା ହୋଇ ନ ରହେ ତାହା ସୁନିଶ୍ଚିତ କରନ୍ତୁ ।
ନିଜର ଡାଇନିଂ ରୁମ୍ ପାଇଁ କାଠରେ ନିର୍ମିତ ଫର୍ନିଚର୍ ବାଛନ୍ତୁ । ବାସ୍ତୁରେ ତାହାକୁ ଶୁଭ ବିବେଚନା କରାଯାଏ । କାଠ ଅଭିବୃଦ୍ଧି ଏବଂ ସୌହାର୍ଦ୍ଦ୍ୟର ପ୍ରତିନିଧିତ୍ୱ କରିଥାଏ ଏବଂ ସମ୍ପୃକ୍ତ ସ୍ଥାନରେ ସକାରାତ୍ମକ ଶକ୍ତିର ପ୍ରବାହକୁ ବୃଦ୍ଧି କରିଥାଏ ବୋଲି ବିଶ୍ୱାସ କରାଯାଏ ।
ଭୋଜନ ଆରମ୍ଭ କରିବା ପୂର୍ବରୁ ସଂକ୍ଷିପ୍ତ ପ୍ରାର୍ଥନା କରିବା କିମ୍ବା ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ପରାମର୍ଶଯୋଗ୍ୟ । ବିଶ୍ୱାସ କରାଯାଏ ଯେ, ଏହି ଅଭ୍ୟାସ ଖାଦ୍ୟକୁ ସକାରାତ୍ମକତା ଏବଂ ଆଶୀର୍ବାଦରେ ଭରପୂର କରିଥାଏ ଏବଂ ପରିବେଶକୁ କୃତଜ୍ଞଭାବ ଏବଂ ସୌହାର୍ଦ୍ଦ୍ୟରେ ପରିପୂର୍ଣ୍ଣ କରିଥାଏ ।
ଡାଇନିଂ ରୁମ୍ ଯେପରି ଶୌଚାଳୟକୁ ଲାଗି କିମ୍ବା ତାହା ଉପରେ ନ ରହେ ତାହା ସୁନିଶ୍ଚିତ କରିବା ଜରୁରୀ ଅଟେ; ବାସ୍ତୁ ଅନୁଯାୟୀ ଏହା ଡାଇନିଂ ରୁମ୍ ପାଇଁ ଅଶୁଭ ହୋଇଥାଏ । ଶୌଚାଳୟଗୁଡ଼ିକୁ ନକାରାତ୍ମକ ଶକ୍ତି ସହିତ ସମ୍ବନ୍ଧିତ କରାଯାଇଥାଏ ଏବଂ ତାହାର ସମୀପବର୍ତ୍ତିତା ଡାଇନିଂ ଏରିଆରେ ସକାରାତ୍ମକ ପ୍ରବାହକୁ ବାଧିତ କରିପାରେ ।
ଘର ମଧ୍ୟରେ ସକାରାତ୍ମକ ଶକ୍ତି, ସୌହାର୍ଦ୍ଦ୍ୟ ଏବଂ କଲ୍ୟାଣକୁ ବୃଦ୍ଧି କରିବା ପାଇଁ ଡାଇନିଂ ରୁମ୍ କୁ ବାସ୍ତୁ-ଅନୁକୂଳ କରାଯିବା ପରାମର୍ଶଯୋଗ୍ୟ ଅଟେ । ଏହି ବ୍ଲଗ୍ ରେ, ଆମେ ଆପଣଙ୍କ ଡାଇନିଂ ରୁମ୍ ବାସ୍ତୁକୁ ପ୍ରଭାବିତ କରୁଥିବା ଦିଗ, ଆଲୋକ ବ୍ୟବସ୍ଥା ଏବଂ ଏହିଭଳି ଅନ୍ୟାନ୍ୟ ଦିଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛୁ । ଯଦିଓ ଏହି ଉପଦେଶଗୁଡ଼ିକୁ ଅନୁସରଣ କରିବା ଉପାଦେୟ ସାବ୍ୟସ୍ତ ହେବ, କିନ୍ତୁ ତଥାପି ଆପଣଙ୍କ ଆବଶ୍ୟକତାକୁ ସୁହାଉଥିବା ଭଳି ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ ନିମନ୍ତେ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ସର୍ବଦା ପରାମର୍ଶଯୋଗ୍ୟ ଅଟେ । ଅଧିକ ସୂଚନା ପାଇଁ, ଆପଣ ଗୃହ ବାସ୍ତୁ ଉପଦେଶ ଉପରେ ଆମର ବ୍ଲଗ୍ ଦେଖିପାରନ୍ତି ।