Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ଇଟା ଯୋଡ଼େଇ ହେଉଛି ଏକ ନିର୍ମାଣ କୌଶଳ ଯେଉଁଥିରେ ବିଭିନ୍ନ ପ୍ରକାର ଇଟା ଏବଂ ମସଲା ବ୍ୟବହାର କରି ଢାଞ୍ଚାଗୁଡ଼ିକର ନିର୍ମାଣ କରାଯାଇଥାଏ । ଏହା ସବୁଠାରୁ ପୁରୁଣା ଏବଂ ସବୁଠାରୁ ଲୋକପ୍ରିୟ ନିର୍ମାଣ ପଦ୍ଧତି ଅଟେ । ଏହି ପଦ୍ଧତି ନିଜର ଶକ୍ତି, ସ୍ଥାୟିତ୍ୱ ଏବଂ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଜଣାଶୁଣା । ଇଟା ଯୋଡ଼େଇ କାମରେ, ଇଟାଗୁଡ଼ିକୁ ଯତ୍ନର ସହିତ ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ଣ୍ଣରେ ବିଛାଯାଇଥାଏ ଏବଂ ସେଗୁଡ଼ିକୁ ମୋର୍ଟାର୍ ସହିତ ପରସ୍ପର ସହିତ ଯୋଡ଼ିଦିଆଯାଏ, ଯାହାଫଳରେ ଏକ ସୁଦୃଢ଼ ଏବଂ ସ୍ଥିର ଢାଞ୍ଚା ତିଆରି ହୋଇଥାଏ ।
ଇଟା, ମାଟି ଏବଂ ଅନ୍ୟାନ୍ୟ ସାମଗ୍ରୀରୁ ନିର୍ମିତ ହୋଇଥାଏ, ସେଗୁଡ଼ିକର ଆକୃତି ଆୟତାକାର ହୋଇଥାଏ ଏବଂ ବିଭିନ୍ନ ଆକାର, ରଙ୍ଗ ଏବଂ ବିନ୍ୟାସରେ ଉପଲବ୍ଧ ହୋଇଥାଏ । ସେଗୁଡ଼ିକୁ ବିଭିନ୍ନ ପ୍ୟାଟର୍ନରେ ବିଛାଯାଇଥାଏ, ଯାହାକୁ ବଣ୍ଡ୍ ପ୍ୟାଟର୍ଣ୍ଣ କୁହାଯାଏ, ଯାହା ଢାଞ୍ଚାର ସୁଦୃଢ଼ତା ଏବଂ ସ୍ଥିରତା ନିର୍ଦ୍ଧାରଣ କରିଥାଏ । ବଣ୍ଡ୍ ପ୍ୟାଟର୍ଣ୍ଣଗୁଡ଼ିକରେ ଷ୍ଟ୍ରେଚର୍ ବଣ୍ଡ୍, ହେଡର୍ ବଣ୍ଡ, ଫ୍ଲେମିଶ୍ ବଣ୍ଡ, ଇଂଲିଶ୍ ବଣ୍ଡ୍ ଏବଂ ଆହୁରି ଅନେକ ପ୍ୟାଟର୍ଣ୍ଣ ଅନ୍ତର୍ଭୁକ୍ତ । ପ୍ରତ୍ୟେକ ବଣ୍ଡ୍ ପ୍ୟାଟର୍ଣ୍ଣର ଇଟାଗୁଡ଼ିକ ପାଇଁ ନିଜସ୍ୱ ଅନନ୍ୟ ବିନ୍ୟାସ ରହିଥଏ, ଯାହାର ରୂପସଜ୍ଜା ଭିନ୍ନ ଭିନ୍ନ ହୋଇଥାଏ ।
ଇଟା ଯୋଡ଼େଇର ଦୃଢତା ଏବଂ ସ୍ଥାୟିତ୍ୱକୁ ବୃଦ୍ଧି କରିବା ପାଇଁ, ବାଇଣ୍ଡିଂ ଏଜେଣ୍ଟ ଭାବେ ମୋର୍ଟାର୍ ବ୍ୟବହାର କରାଯାଇଥାଏ । ମୋର୍ଟାର୍ ବା ମସଲା ସିମେଣ୍ଟ, ବାଲି ଓ ପାଣିର ମିଶ୍ରଣରେ ତିଆରି ହୋଇଥାଏ, ଏବଂ ପ୍ରକଳ୍ପର ଆବଶ୍ୟକତା ଅନୁସାରେ ତାହାର ସଂରଚନା ଭିନ୍ନ ଭିନ୍ନ ହୋଇଥାଏ । ଏହା ଇଟାଗୁଡ଼ିକ ମଧ୍ୟରେ ଥିବା ଫାଙ୍କଗୁଡ଼ିକୁ ଭରିଥାଏ, ଯାହାଦ୍ୱାରା ଢାଞ୍ଚାକୁ ସ୍ଥିରତା ମିଳିଥାଏ ଏବଂ ଆର୍ଦ୍ରତା ଭେଦନ ପ୍ରତିରୋଧିତ ହୋଇଥାଏ । ଏବେ, ଆମେ ଯେହେତୁ ଇଟା ଯୋଡ଼େଇ ସମ୍ପର୍କରେ ଆମେ ମୌଳିକ ଜ୍ଞାନ ଆହରଣ କରିଛୁ, ଆସନ୍ତୁ, ବିଭିନ୍ନ ପ୍ରକାର ଇଟା ଯୋଡ଼େଇ କୌଶଳଗୁଡ଼ିକୁ ଜାଣିବା ।
ଇଟା ଯୋଡ଼େଇର କୌଶଳଗୁଡ଼ିକୁ ବିଭିନ୍ନ ପ୍ରକାରଭେଦରେ ଶ୍ରେଣୀଭୁକ୍ତ କରାଯାଇପାରେ, ଯାହା ବ୍ୟବହୃତ ମସଲା ବା ମୋର୍ଟାରର ପ୍ରକାର, ଇଟା ବିଛାଇବାର ପ୍ୟାଟର୍ଣ୍ଣ ଏବଂ ଇଟାଗୁଡ଼ିକ ମଧ୍ୟରେ ଗଠିତ ବନ୍ଧନ ବା ବଣ୍ଡ୍ ର ପ୍ରକାର ଉପରେ ନିର୍ଭର କରିଥାଏ । ଦୁଇଟି ସବୁଠାରୁ ସାଧାରଣ ପ୍ରକାର ଇଟା ଯୋଡ଼େଇ ହେଲା:
କାଦୁଅ, ଯାହାକୁ କ୍ଲେୟୀ ସଏଲ୍ ବା ଚିକିଟା ମାଟି ମଧ୍ୟ କୁହାଯାଏ, ଅନାଦି କାଳରୁ ଏକ ନିର୍ମାଣ ସାମଗ୍ରୀ ରୂପେ ବ୍ୟବହୃତ ହୋଇଆସିଛି । କାଦୁଅ ଇଟା ଯୋଡ଼େଇରେ, ସିମେଣ୍ଟ ବଦଳରେ କାଦୁଅକୁ ମସଲା ବା ମୋର୍ଟାର୍ ରୂପେ ବ୍ୟବହାର କରାଯାଏ । ଇଟାଗୁଡ଼ିକୁ କାଦୁଅର ଏକ ମିଶ୍ରଣ ବ୍ୟବହାର କରି ଯୋଡ଼ାଯାଇଥାଏ; କାଦୁଅ ସିମେଣ୍ଟ ମସଲା ତୁଳନାରେ ଅଧିକ ନମନୀୟ ହୋଇଥାଏ । ଏହି ନମନୀୟତା କାରଣରୁ ଢାଞ୍ଚାଗୁଡ଼ିକ ଭୂଚଳନକୁ ଅଧିକ ଉତ୍ତମ ରୂପେ ସହନ କରିଥାଏ ଏବଂ ଏହାଦ୍ୱାରା ଉନ୍ନତ ଉତ୍ତାପ ଏବଂ ଧ୍ୱନି ରୋଧନ ବା ଇନସୁଲେସନ୍ ପ୍ରାପ୍ତ ହୋଇଥାଏ । ପାରମ୍ପରିକ ବା ଗ୍ରାମୀଣ ବିଲଡିଂ ଗୁଡ଼ିକରେ ସାଧାରଣତଃ କାଦୁଅ ଇଟା ଯୋଡ଼େଇ ହେଉଥିବାରେ ଦେଖାଯାଇଥାଏ ।
ଏହି ନିର୍ଦ୍ଦିଷ୍ଟ ପ୍ରକାର ଇଟା ଯୋଡ଼େଇରୁ ବହୁତ ଫାଇଦା ମିଳିଥାଏ, ଯେଉଁଗୁଡ଼ିକ ହେଲା- ସ୍ଥାନୀୟ ସାମଗ୍ରୀର ବ୍ୟବହାର କାରଣରୁ ଖର୍ଚ୍ଚ କମିବା, ତାପ ବିରୁଦ୍ଧରେ ଉତ୍ତମ ଇନସୁଲେସନ୍, ତାହାକୁ ନେଇ କାମ କରିବା ଓ ମରାମତି କରିବା ଖୁବ୍ ସହଜ ଏବଂ ଏହା ବିଲଡିଂକୁ ଗ୍ରାମୀଣ ରୂପ ଦେବାରେ ସାହାଯ୍ୟ କରିଥାଏ ।
ଆଧୁନିକ ନିର୍ମାଣ କାର୍ଯ୍ୟରେ ସବୁଠାରୁ ସାଧାରଣ ଭାବେ ସିମେଣ୍ଟ ସହିତ ଇଟା ଯୋଡ଼େଇ କାମ କରାଯାଇଥାଏ । ଏକ ମଜବୁତ ଏବଂ ଦୀର୍ଘସ୍ଥାୟୀ ଢାଞ୍ଚା ପାଇଁ ଏଥିରେ ସିମେଣ୍ଟକୁ ବାଇଣ୍ଡିଂ ଏଜେଣ୍ଟ ରୂପେ ବ୍ୟବହାର କରାଯାଇଥାଏ । ଡିଜାଇନ୍ ଆବଶ୍ୟକତା ଅନୁସାରେ ଇଟାଗୁଡ଼ିକୁ ଷ୍ଟ୍ରେଚର୍ କିମ୍ବା ହେଡର୍ ବଣ୍ଡ୍ ଭଳି ବିଭିନ୍ନ ପ୍ୟାଟର୍ଣ୍ଣରେ ବିଛାଯାଇଥାଏ । ଏ ପ୍ରକାର ଇଟା ଯୋଡ଼େଇ ସୁଦୃଢ଼, ସ୍ଥିର ଏବଂ ଦୀର୍ଘସ୍ଥାୟୀ ବିଲଡିଂ ଯୋଗାଇଥାଏ ।
ଏ ପ୍ରକାର ଇଟା ଯୋଡ଼େଇ କାର୍ଯ୍ୟ ଉଚ୍ଚ ଷ୍ଟ୍ରକ୍ଚରାଲ୍ ଶକ୍ତି ଓ ସ୍ଥାୟିତ୍ୱ, ଆର୍ଦ୍ରତା, ଅଗ୍ନି ଏବଂ କୀଟ ପ୍ରତିରୋଧ କ୍ଷମତା, ବ୍ୟାପକ ବର୍ଗର ଡିଜାଇନ୍ ସକ୍ଷମତା ଏବଂ ଆଧୁନିକ ତଥା ସଫାସୁତରା ରୂପ ପ୍ରାପ୍ତ ହୋଇଥାଏ ।
ଆହୁରି ମଧ୍ୟ ପଢ଼ନ୍ତୁ: ଇଟାର ଗୁଣବତ୍ତା କେମିତି ଯାଞ୍ଚ କରିବେ?
ବିଭିନ୍ନ ପଦ୍ଧତିରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଇଟା ଯୋଡ଼େଇ ସାଧନ ବା ସରଞ୍ଜାମଗୁଡ଼ିକ ବିଷୟରେ ଆସନ୍ତୁ ଜ୍ଞାନ ଆହରଣ କରିବା ।
ଇଟା ଯୋଡ଼େଇ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାଧନ ହେଉଛି ହାତୁଡ଼ି । ଏହାର ବହୁ-ଉପଯୋଗିତା କାରଣରୁ ଏହି ସାଧନକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ହାତୁଡ଼ିକୁ ମୁଖ୍ୟତଃ ଇଟାଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗିବା ପାଇଁ ବ୍ୟବହାର କରାଯାଏ; ବିଶେଷକରି ଯେବେ ଆଡଜଷ୍ଟମେଣ୍ଟ କିମ୍ବା କଷ୍ଟମାଇଜେସନ୍ ଆବଶ୍ୟକ ହୁଏ । ତା’ ସହିତ, ନିର୍ମାଣ ସମୟରେ ଇଟାଗୁଡ଼ିକୁ ଠୋକିବା ଏବଂ ସେଗୁଡ଼ିକର ପୋଜିସନକୁ ଆଡଜଷ୍ଟ କରିବା ପାଇଁ ମଧ୍ୟ ହାତୁଡ଼ିକୁ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଇଟାଗୁଡ଼ିକ ଯେପରି ସୁରକ୍ଷିତ ଭାବେ ସ୍ଥାନିତ ହୁଏ ଏବଂ ଠିକ୍ ଭାବେ ଖଞ୍ଜି ହୋଇ ରହେ ତାହା ସୁନିଶ୍ଚିତ ହୋଇଥାଏ ।
ଇଟା ଯୋଡ଼େଇରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଆଉ ଏକ ସାଧନଟି ହେଉଛି କରଣି । ନିର୍ମାଣ ପ୍ରକ୍ରିୟାରେ ମସଲାକୁ ଖେଳାଇବା ଏବଂ ଆକୃତି ଦେବା ଏହାର ପ୍ରାଥମିକ ଉଦ୍ଦେଶ୍ୟ ହୋଇଥାଏ ।
ଏହା ଇଟାଗୁଡ଼ିକ ମଧ୍ୟରେ ସୁଦୃଢ଼ ବନ୍ଧନ ବା ଯୋଡ଼େଇ ବା ବଣ୍ଡ୍ କୁ ସୁନିଶ୍ଚିତ କରିବା ସହିତ ଢାଞ୍ଚାର ସାମଗ୍ରିକ ସୁଦୃଢ଼ତା ଏବଂ ସ୍ଥିରତାକୁ ଉନ୍ନତ କରିଥାଏ । ଇଟା ପୃଷ୍ଠରୁ ମାତ୍ରାଧିକ ମୋର୍ଟାର୍ କୁ ଚାଞ୍ଛିବା, ମୋର୍ଟାର୍ ଜଏଣ୍ଟଗୁଡ଼ିକୁ ମସୃଣ ଓ ଫିନିଶିଂ କରିବା ଏବଂ ଏକ ସୁନ୍ଦର ଓ ଆକର୍ଷକ ଫିନିଶ୍ ପାଇବା ପାଇଁ ମଧ୍ୟ କରଣି ବ୍ୟବହାର କରାଯାଇପାରେ ।
ଇଟା ଯୋଡ଼େଇ ପାଇଁ ଏକ ସ୍ପିରିଟ୍ ଲେଭଲ୍ ଏକ ଅତ୍ୟାବଶ୍ୟକ ସାଧନ ହୋଇଥାଏ, ଯାହା କାନ୍ଥର ନିର୍ଭୁଲ୍ ସଳଖତାକୁ ନିଶ୍ଚିତ କରିଥାଏ । ଉଭୟ ଭୂସମାନ୍ତର ଏବଂ ଭୂଲମ୍ବ ସମତଳକୁ ଯାଞ୍ଚ କରି ଏହା ସୁନିଶ୍ଚିତ କରିଥାଏ ଯେ ଇଟାଗୁଡ଼ିକ ସମତଳ ଭାବେ ବିଛାଯାଇଛି । ଏହି ନିର୍ଭୁଲ ମାପ ଦ୍ୱାରା ଚୂଡ଼ାନ୍ତ ଇଟାକାମର ଢାଞ୍ଚାଗତ ଅଖଣ୍ଡତା ଏବଂ ସୌନ୍ଦର୍ଯ୍ୟ ଉନ୍ନତ ହୋଇଥାଏ ।
ଇଟା ଯୋଡ଼େଇରେ ସଫା, ମସୃଣ ମୋର୍ଟାର୍ ଜଏଣ୍ଟ ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ଏକ ବିଶେଷ ସାଧନକୁ ଜଏଣ୍ଟର୍ କୁହାଯାଏ । ଏହା ଫିନିଶଡ୍ ଲୁକ୍ ଦେବା ସହିତ, ଢାଞ୍ଚାଗତ ଅଖଣ୍ଡତାକୁ ବଦ୍ଧି କରିଥାଏ ଏବଂ ଜଳ ଭେଦନ ବିରୁଦ୍ଧରେ ସୁରକ୍ଷା ଯୋଗାଇଥାଏ । ଇଟାଗୁଡ଼ିକ ମଧ୍ୟରେ ମୋର୍ଟାରକୁ ଆକୃତି ଦେଇ ଏବଂ କମ୍ପାକ୍ଟିଂ କରି ଏହା କାନ୍ଥର ସାମଗ୍ରିକ ସ୍ଥାୟିତ୍ୱ ଏବଂ ରୂପକୁ ଉନ୍ନତ କରିଥାଏ ।
ରାଜମିସ୍ତ୍ରୀଙ୍କ ପାଇଁ ହ୍ୱିଲବାରୋ (ଏକଚକିଆ ଠେଲାଗାଡ଼ି) ଏକ ଅପରିହାର୍ଯ୍ୟ ସାଧନ ଅଟେ । ନିର୍ମାଣ ସ୍ଥଳରେ ଇଟା, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଅନାୟାସରେ ପରିବହନ କରିବାରେ ତାହା ବ୍ୟବହୃତ ହୋଇଥାଏ । ଏହା ସମୟ ବଞ୍ଚାଇବା ସହିତ ଶ୍ରମିକଙ୍କ ଉପରୁ ଶାରୀରିକ ପରିଶ୍ରମର ଭାରକୁ ଲାଘବ କରିଥାଏ ଏବଂ ଇଟା ବିଛାଇବା କାର୍ଯ୍ୟକୁ ଅଧିକ ସହଜ ଏବଂ ଦ୍ରୁତ କରିଥାଏ ।
ଇଟାଗୁଡ଼ିକ ମଧ୍ୟରେ ସମରୂପୀ ବ୍ୟବଧାନ ବଜାୟ ରଖିବାରେ ମାପଫିତା ବା ଟେପ୍ ମେଜର୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଏହା ନିର୍ଭୁଲ୍ ଇଟା ପୋଜିସନିଂ ଓ ଆଲାଇନମେଣ୍ଟକୁ ସୁନିଶ୍ଚିତ କରିଥାଏ । ନିର୍ଭୁଲ୍ ମାପ ନେଇ, ରାଜମିସ୍ତ୍ରୀମାନେ କାନ୍ଥ ସଂରଚନାର ସମରୂପତାକୁ ସୁନିଶ୍ଚିତ କରିଥାନ୍ତି, ଯାହା ଫଳରେ କାନ୍ଥର ଶକ୍ତି ଓ ସାମଗ୍ରିକ ଗୁଣବତ୍ତା ଉନ୍ନତ ହୋଇଥାଏ ।
ସାରାଂଶରେ, ଇଟା ଯୋଡ଼େଇ ଦୃଢ଼, ଦୀର୍ଘସ୍ଥାୟୀ ଏବଂ ମନୋରମ ଢାଞ୍ଚା ବା ଷ୍ଟ୍ରକ୍ଚର ନିର୍ମାଣ ପାଇଁ ବ୍ୟାପକ ବର୍ଗର ବିକଳ୍ପ ଯୋଗାଇଥାଏ । ଦୁଇଟି ମୁଖ୍ୟ ପ୍ରକାର ଇଟା ଯୋଡ଼େଇ ହେଉଛି ‘କାଦୁଅ ଇଟା ଯୋଡ଼େଇ’ ଏବଂ ‘ସିମେଣ୍ଟ ଇଟା ଯୋଡ଼େଇ’ । କାଦୁଅ ଇଟା ଯୋଡ଼େଇ ଶସ୍ତା ହୋଇଥାଏ ଏବଂ ପାରମ୍ପରିକ ରୂପ ପ୍ରଦାନ କରିଥାଏ; ଅନ୍ୟପକ୍ଷରେ ସିମେଣ୍ଟ ଇଟା ଯୋଡ଼େଇ ଉଚ୍ଚତର ଢାଞ୍ଚାଗତ ସୁଦୃଢ଼ତା ଏବଂ ଆଧୁନିକ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ । ଯେଉଁ ପ୍ରକାର ଇଟା ଯୋଡ଼େଇ ଚୟନ କରାଯାଉ ନା କାହିଁକି, ଉପଯୁକ୍ତ ସାଧନ ଏବଂ ଉପକରଣଗୁଡ଼ିକ ନିର୍ଭୁଲ୍ ଏବଂ ନିରାପଦ ଇଟା ଯୋଡ଼େଇ କାର୍ଯ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ହାତୁଡ଼ି ଏବଂ କରଣି ଭଳି ସାଧନଗୁଡ଼ିକ ଇଟା ଓ ମୋର୍ଟାରକୁ ବିଛାଇବା ଓ ଆକାର ଦେବାରେ ସାହାଯ୍ୟ କରେ । ଅଧିକ ଜାଣିବା ପାଇଁ, ଆପଣ ଇଟା ଯୋଡ଼େଇ ଉପରେ ଆମର ଭିଡିଓ ଏଠାରେ ଦେଖିପାରିବେ ।